ବେଲ୍ଗ୍ରେଡ୍: ବିଶ୍ୱର ଏକ ନମ୍ବର ଟେନିସ ତାରକା ନୋଭାକ୍ ଜୋକୋଭିକ୍ ସଂପ୍ରତି ଚାଲିଥିବା କରୋନା ବିପକ୍ଷ ଲଢ଼େଇ ଲାଗି ସହାୟତାର ହାତ ବଢ଼ାଇଛନ୍ତି। ଶୁକ୍ରବାର ନିଜ ଦେଶ ସର୍ବିଆ ପାଇଁ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କିଣିବା ଲାଗି ସେ ୧୦ ଲକ୍ଷ ୟୁରୋ ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ୨୬ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି। ସେହିପରି ଏହି ମହାମାରୀର ମୁକାବିଲା ପାଇଁ ସ୍ପେନ୍ ତାରକା ରାଫେଲ୍ ନାଦାଲ ୧୧୦ ଲକ୍ଷ ୟୁରୋ (ପ୍ରାୟ ୯୧ କୋଟି ଟଙ୍କା) ପାଣ୍ଠି ସଂଗ୍ରହ କରିବାକୁ ସ୍ପେନ୍ ଆଥ୍ଲେଟ୍ମାନଙ୍କୁ ଆହ୍ବାନ ଦେଇଛନ୍ତି। ସ୍ବିଜରଲାଣ୍ଡ ତାରକା ରୋଜର ଫେଡେରର୍ ନିଜ ଦେଶର ଅସୁରକ୍ଷିତ ପରିବାର ପାଇଁ ୧୦ ଲକ୍ଷ ସ୍ବିସ୍ ଫ୍ରାଙ୍କ୍ (ପ୍ରାୟ ୮ କୋଟି ଟଙ୍କା) ଦାନ କରିଛନ୍ତି।
କରୋନା ଭୂତାଣୁ ଆକ୍ରାନ୍ତଙ୍କ ସେବାରେ ଲାଗିଥିବା ମୋ ଦେଶ ସର୍ବିଆ ଓ ବିଶ୍ବର ସମସ୍ତ ଡାକ୍ତରଖାନା କର୍ମଚାରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ଦୁର୍ଭାଗ୍ୟବଶତଃ ଦିନକୁ ଦିନ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଏହି ସମୟରେ ଲୋକମାନଙ୍କୁ କିଭଳି ଅଧିକରୁ ଅଧିକ ସହଯୋଗ କରିପାରିବୁ ଏଥିପାଇଁ ମୁଁ ଏବଂ ପତ୍ନୀ ଜେଲେନା ଚିନ୍ତା କରୁଛୁ। ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କ୍ରୟ ପାଇଁ ଆମେ ୧୦ ଲକ୍ଷ ୟୁରୋ ପ୍ରଦାନ କରିବୁ ବୋଲି ଜୋକୋଭିକ କହିଛନ୍ତି। ଏଥି ସହ ସେ କରୋନା ଭୂତାଣୁକୁ ବିସ୍ତାର କରୁଥିବା ଲୋକଙ୍କୁ ଗିରଫ କର ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି। ବହୁ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ଏଥିପାଇଁ ଏବର ସମୟ ଅତି ଭୟଙ୍କର ଏବଂ କଷ୍ଟଦାୟକ। ମୋ ପରିବାର ଓ ମୁଁ ସୁରକ୍ଷିତ ରହିବା ପାଇଁ ଚେଷ୍ଟା କରୁଛୁ ବୋଲି ୩୨ ବର୍ଷୀୟ ଜୋକୋଭିକ କହିଛନ୍ତି।