ଆଉ ୧୦ ଦିନ: ଇକ୍ବେଡରକୁ ଖେଳିବାକୁ ଅନୁମତି ଦେଲା କାସ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ କାତାରରେ ହେବାକୁ ଥିବା ଫିଫା ବିଶ୍ବକପ୍‌ରେ ଇକ୍ବେଡରର ଖେଳିବା ନିଶ୍ଚିତ ହୋଇଛି। ମଙ୍ଗଳବାର କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର୍‌ ସ୍ପୋର୍ଟ୍ସ (କାସ୍‌) ଚିଲିର ଆବେଦନକୁ ଖାରଜ କରିବା ସହ ଇକ୍ବେଡର ସପକ୍ଷରେ ରାୟ ଦେଇଛନ୍ତି। ‌ତଥାପି ଭୁଲ୍‌ ତଥ୍ୟ ଦେଇଥିବାରୁ ୨୦୨୬ ବିଶ୍ବକପ୍‌ର ଯୋଗ୍ୟତା ପର୍ଯ୍ୟାୟରୁ ଇକ୍ବେଡର୍‌ର ୩ ପଏଣ୍ଟ କଟାଯିବ। ଏଥିସହ ୧ ଲକ୍ଷ ସ୍ବିସ୍‌ ଫ୍ରାଙ୍କ୍ସ ଜରିମାନା ଦେବାକୁ ‘କାସ୍‌’ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବକପ୍‌ରେ ଇକ୍ବେଡର୍‌କୁ ଗ୍ରୁପ୍‌ ଏ’ରେ କାତାର, ସେନେଗଲ ଓ ନେଦରଲାଣ୍ଡ୍ସ ସହିତ ସ୍ଥାନ ପାଇଛି।

ଆୟୋଜକ ଦଳ ସହିତ ଇକ୍ବେଡର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ତେବେ ସେପ୍ଟେମ୍ବରରେ ଇକ୍ବେଡର୍‌ର ଜଣେ ଖେଳାଳିଙ୍କୁ ନେଇ ଚିଲି ଫିଫା ନିକଟରେ ଅଭିଯୋଗ କରିଥିଲା। ବାୟରନ୍‌ ଡେଭିଡ୍‌ କାଷ୍ଟିଲୋ କଲମ୍ବିଆର ଟୁମାକୋରେ ୧୯୯୫ରେ ଜନ୍ମ ହୋଇଥିବା ଚିଲି ଅଭିଯୋଗ କରିଥିଲା। ହେଲେ ଇକ୍ବେଡର ଏହାର ଖେଳାଳି ତାଲିକାରେ କାଷ୍ଟିଲୋଙ୍କ ଜନ୍ମସ୍ଥାନକୁ ଜେନେରାଲ୍‌ ଭିଲାମିଲ୍‌ ପ୍ଲୋୟାସ୍‌ ଦର୍ଶାଇଥିଲା ବେଳେ ୧୯୯୮ରେ ଜନ୍ମ ହୋଇଥିବା ଉଲ୍ଲେଖ କରିଥିଲା। ଏହାକୁ ଦେଖିବା ପରେ ଫିଫା ଶୃଙ୍ଖଳା ନିୟମର ଧାରା ୨୧କୁ ଇକ୍ବେଡର ଫୁଟ୍‌ବଲ୍‌ ମହାସଂଘ ଉଲଙ୍ଘନ କରିଥିବା ‘କାସ୍‌’ ଜାଣିବାକୁ ପାଇଥିଲେ। କାଷ୍ଟିଲୋଙ୍କ ଇକ୍ବେଡର ନାଗରିକ ପାସପୋର୍ଟ ଅସଲି ହୋଇଥିବା ବେଳେ ସେଥିରେ କିଛି ତଥ୍ୟ ମିଥ୍ୟା ଥିବା ‘କାସ୍‌’ କହିଥିଲେ। ତେଣୁ ‘କାସ୍‌’ ଖଣ୍ଡପୀଠ ‌କାଷ୍ଟିଲୋଙ୍କ ଜନ୍ମ ତାରିଖ ଓ ସ୍ଥାନକୁ ଛାଡ଼ି ଅନ୍ୟ ସବୁ ତଥ୍ୟରେ ସନ୍ତୁଷ୍ଟ ହୋଇଥିଲେ। ପୂର୍ବରୁ ଇକ୍ବେ‌ଡର୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଭିତରୁ କାଷ୍ଟିଲୋ ୮ ଟିରେ ଖେଳିଥିଲେ। ସେଥିମଧ୍ୟରୁ ସେ ଦୁଇଥର ଚିଲି ବିପକ୍ଷରେ ଖେଳିଛନ୍ତି। ଏହି ପର୍ଯ୍ୟାୟରେ ଇକ୍ବେଡର ଚତୁର୍ଥ ସ୍ଥାନରେ ରହି ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ଚିଲି ସପ୍ତମରେ ରହିଥିଲା।

ଇକ୍ବେଡର ଦଳ: ହର୍ନାନ୍‌ ଗାଲିନ୍ଦେଜ୍‌, ମୋଜେସ୍‌ ରାମିରେଜ୍‌, ଜର୍ଜ ପିନୋସ୍‌ (ଗୋଲ୍‌ରକ୍ଷକ), ରବର୍ଟ ଅର୍ବୋଲେଦା, ପର୍ଭିସ୍‌ ଇସ୍ତୁପିନାନ, ଜର୍ମନ ପେଜେଲା, ଆଞ୍ଜେଲେ ପ୍ରିକିଆ‌ଡୋ, ପିଏରୋ ହିନ୍‌କାପି, ଜାଭିୟର ଆରେଗା, ଡିଏଗୋ ପାଲାସିଓ, ବାଇରନ କାଷ୍ଟିଲୋ, ଫର୍ନାଣ୍ଡୋ ଲିଓନ (ସମସ୍ତେ ଡିଫେଣ୍ଡର), କାର୍ଲୋସ ଗ୍ରୁଏଜୋ, ଆଞ୍ଜେଲ ମେନା, ଝେଗ୍‌ସନ ମେନ୍ଦେଜ୍‌, ଗୋଞ୍ଜୋଲୋ ପ୍ଲାଟା, ରୋମାରିଓ ଈବାରା, ମୋଜେସ୍‌ କାଇସିଡୋ, ଆଲାନ ଫ୍ରାଙ୍କୋ, ଜୋଆଓ ରୋଜାସ, ଜୋସ୍‌ ସିଫୁଏଣ୍ଟସ, ମାଇକେଲ କାର୍ସେଲାନ, ଜେରେମୀ ସର୍ମିଏଣ୍ଟୋ, ଡାନି କାବେସାସ୍‌ (ସମସ୍ତେ ମିଡ୍‌ଫିଲ୍‌ଡର), ଏନେର ଭାଲେନ୍‌ସିଆ, ମାଇକେଲ ଏଷ୍ଟ୍ରଦା, ଜୋର୍ଡି କାଇସେଡୋ, ଜୋର୍କାଇଫ୍‌ ରିସ୍କୋ (ସମସ୍ତେ ଫରୱାର୍ଡ)।

ସମ୍ବନ୍ଧିତ ଖବର