ପାକିସ୍ତାନ କ୍ରିକେଟ ଦଳର ୧୦ ଖେଳାଳି କରୋନା ସଂକ୍ରମିତ , ସଂକଟରେ ଇଂଲାଣ୍ଡ ଗସ୍ତ

କରାଚୀ : ପାକିସ୍ତାନ କ୍ରିକେଟ ଟିମର ସଦସ୍ୟମାନଙ୍କ ମଧ୍ୟରୁ ୧୦ ଜଣ କରୋନା ସଂକ୍ରମିତ ଥିବା ଜଣାଯାଇଛି । ପୂର୍ବରୁ ୩ ଜଣ କରୋନା ପଜିଟିଭ ବାହାରିଥିବାବେଳେ ଆଜି ଆଉ ୭ ଜଣ କରୋନା ପଜିଟିଭ ବାହାରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାରଦିନ ପାକିସ୍ତାନ ଟିମର ୭ ସଦସ୍ୟ ଫକର ଜମାନ, ଇମ୍ରାନ ଖାଁ,ଖାସିପ ଭଟ୍ଟି, ମହମ୍ମଦ ହଫିଜ, ମହମ୍ମଦ ହସନାନ, ମହମ୍ମଦ ରିଜଓ୍ଵାନ ଓ ଓ୍ଵାହାବ ରିଆଜଙ୍କ ନମୁନା ପଜିଟିଭ ବାହାରିଛି । ପୂର୍ବରୁ ଟିମର ସଦସ୍ୟ ସଦାବ ଖାଁ, ହାରିସ ରୌଫ ଓ ହାଇଦର ଅଲ୍ଲି କରୋନା ସଂକ୍ରମିତ ଥିଲେ । ଫଳରେ ଟିମର ମୋଟ ୧୦ ଜଣ ଖେଳାଳି ଏବେ କରୋନା ସଂକ୍ରମିତ ହୋଇ କ୍ୱାରାଣ୍ଟାଇନରେ ରହିଛନ୍ତି ।
ପାକିସ୍ତାନ ଟିମ ଆସନ୍ତା ଅଗଷ୍ଟ ମାସରେ ଇଂଲାଣ୍ଡ ଗସ୍ତରେ ଯିବାକୁ ଥିବାବେଳେ ସେମାନଙ୍କର ବାଧ୍ୟତାମୂଳକ କରୋନା ଟେଷ୍ଟ କରାଯାଇଥିଲା । ଦଳର ୧୦ ଜଣ ଖେଳାଳି ସଂକ୍ରମିତ ଥିବାରୁ ପାକିସ୍ତାନର ଇଂଲାଣ୍ଡ ଗସ୍ତ ସଂକଟରେ ପଡ଼ିଯାଇଛି ।
ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ସିଇଓ ଓ୍ଵାସିମ ଖାଁ କହିଛନ୍ତି ଯେ ଦଳର ଇଂଲାଣ୍ଡ ଗସ୍ତ ଜାରି ରହିବ । କାରଣ ଦଳର ଅନ୍ୟ କେତେକ ଟେଷ୍ଟ ଖେଳାଳିଙ୍କ ନମୁନା ନେଗେଟିଭ ବାହାରିଛି । ପାକିସ୍ତାନ ଟିମ ଅଗଷ୍ଟରେ ଇଂଲାଣ୍ଡ ସହ ୩ଟି ଟେଷ୍ଟ ଓ ୩ଟି ଟି-୨୦ ଖେଳିବ ।

ସମ୍ବନ୍ଧିତ ଖବର