ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ୍ ଯାତ୍ରାକୁ ଶନିବାର ୧୦ ବର୍ଷ ପୂରିଛି। ଏଥିଲାଗି ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ ତାଙ୍କୁ ଭାବପୂର୍ଣ୍ଣ ଅଭିବାଦନ ଜଣାଇଛି। ସାମାଜିକ ଗଣମାଧ୍ୟମରେ ଲେଖା ଲେଖି ଆଇପିଏଲ୍ ପ୍ରତି ପାଣ୍ଡ୍ୟାଙ୍କ ଅବଦାନକୁ ସଲାମ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ତାଙ୍କୁ ଦଳ ‘କୁଂଫୁ ପାଣ୍ଡ୍ୟା’ ଭାବେ ବର୍ଣ୍ଣନା କରିଛି। ଏହି ଶୀର୍ଷକରେ ଦଳ ପକ୍ଷରୁ କୁହାଯାଇଛି ଯେ ଜଣେ ପ୍ରତିଭାବାନ ଅଲରାଉଣ୍ଡର୍, ସମୟକ୍ରମେ ଯିଏକି ଜଣେ କିଂବଦନ୍ତି ଖେଳାଳିରେ ପରିଣତ ହୋଇଛନ୍ତି। ୨୦୧୫ ମସିହା ଆଜିର ଦିନରେ ହାର୍ଦିକ ପାଣ୍ଡ୍ୟା ନୀଳ ଓ ସ୍ବର୍ଣ୍ଣିମ ଜର୍ସି ପିନ୍ଧିଥିଲେ। ଏହା ଭିତରେ ସ୍ବର୍ଣ୍ଣିମ ଇତିହାସର ଲମ୍ବା ଧାରା ସୃଷ୍ଟି କରିସାରିଛନ୍ତି ସେ। 

Advertisment

ଏହି ପୋଷ୍ଟକୁ ପ୍ରଶଂସକ ବେଶ୍ ପସନ୍ଦ କରିବା ସହ ପାଣ୍ଡ୍ୟାଙ୍କୁ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଫିନିସର ଆଖ୍ୟା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ୍ ଜୀବନ ଆରମ୍ଭ କରିଥିବା ପାଣ୍ଡ୍ୟା ୭ଟି ଋତୁ ପରେ ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ୨୦୨୨ରେ ବିଜେତା ହେବା ସହ ୨୦୨୩ରେ ଉପବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ରୋହିତ ଶର୍ମାଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିଥିଲେ। ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା।