ବିଶ୍ବକପ୍‌ ବିଜୟକୁ ୧୦ ବର୍ଷ: ସ୍ମୃତି ଏବେ ବି ସତେଜ

କୋହଲିଙ୍କ ପ୍ରଥମ  ବିଶ୍ବକପ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଦ୍ବିତୀୟ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଜିତିବାର ୧୦ ବର୍ଷ ପୂରିଯାଇଛି। କିଂବଦନ୍ତି କପିଳ ଦେବଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ଭାରତ ବିଶ୍ବକପ୍‌ ବିଜେତା ହୋଇ ଇତିହାସ ରଚିଥିଲା। ହେଲେ ଦ୍ବିତୀୟ ଥର ବିଶ୍ବ ବିଜେତା ହେବା ପାଇଁ ଭାରତକୁ ୨୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଫଳରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୧ ଏପ୍ରିଲ ୨ ତାରିଖରେ ବିଶ୍ବକପ୍‌ ତୋଳି ଧରିବାର ବିରଳ ମୁହୂର୍ତ୍ତ ପାଇଥିଲା। ବିଶେଷକରି ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍‌ଙ୍କ ଭୂମିକା, ଧୋନିଙ୍କ ନେତୃତ୍ବ ଏବଂ ସଚିନ୍‌ଙ୍କ ବିବିଧ ଭୂମିକା ବିଶ୍ବକପ୍‌ ବିଜେତା ହେବାରେ ସହାୟକ ହୋଇଥିଲା। ଏହା ମଧ୍ୟ ମାଷ୍ଟର ବ୍ଲା‌ଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଦଳର ବିଦାୟୀ ଉପହାର ଥିଲା। ୨୦୧୧ ଏପ୍ରିଲ ୨ ତାରିଖର ସ୍ମରଣୀୟ ମୁହୂର୍ତ୍ତକୁ ଇତି ମଧ୍ୟରେ ଗୋଟିଏ ଦଶନ୍ଧୀ ପୂରିଯାଇଛି। ଆଜି ସେହି ଦଶନ୍ଧୀ ତଳର ବିଜୟକୁ ସ୍ମୃତିଚାରଣ କରିଛି ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ (ବିସିସିଆଇ)। ୧୦ ବର୍ଷ ପରେ ବି ସେହି ବିଶ୍ବ କପ୍‌ ବିଜୟ ଏବେ ଆମ ମନରେ ସତେଜ ହୋଇ ରହିଛି ବୋଲି ବିସିସିଆଇ ନିଜ ଟ୍ବିଟରେ ଉଳ୍ଲେଖ କରିଛି।

‘‘ଆଜିର ତାରିଖରେ ଟିମ୍ ଇଣ୍ଡିଆ ତା’ର ଦ୍ବିତୀୟ ବିଶ୍ବକପ୍‌ ଜିତି ଇତିହାସ ରଚିଥିଲା’’ ବୋଲି ବିସିସିଆଇ ଲେଖିଛି। ଏଥିସହିତ ୨୦୧୧ ବିଶ୍ବକପ୍‌ର ସବୁଠୁ ପସନ୍ଦର ସ୍ମୃତି କ’ଣ ବୋଲି କହିବାକୁ ପ୍ରଶଂସକମାନଙ୍କୁ ବିସିସିଆଇ ପଚାରିଛି। ଧୋନି ହିଁ ଷ୍ଟାଇଲ୍‌ରେ ମ୍ୟାଚ୍‌ ଶେଷ କରିଥିଲେ। ସେ ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ଶ୍ରୀଲଙ୍କାର ଦ୍ରୁତ ବୋଲର ନୁଆନ୍‌ କୁଲସେକରାଙ୍କୁ ଛକା ମାରି ଭରପୁର ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ର ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ। ବିଶ୍ବକପ୍‌ ତୋଳି ଧରିବାର ସେହି ମୁହୂର୍ତ୍ତକୁ ଏବେ ବି ପ୍ରତ୍ୟେକ ଭାରତୀୟ ନାଗରିକ ନିଜ ନିଜ ମନ ଭିତରେ ସତେଜ କରି ରଖିଛନ୍ତି। କୁଲସେକରାଙ୍କୁ ଛକା ମାରି ଧୋନି କେବଳ ଭାରତକୁ ୨୮ ବର୍ଷର ପ୍ରତୀକ୍ଷା ପରେ ବିଶ୍ବ କପ୍‌ ଭେଟି ଦେଇନଥିଲେ, ବରଂ ବ୍ୟାଟିଂ କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ବିଶ୍ବକପ୍‌ ବିଜେତା ହେବାର ସ୍ବପ୍ନକୁ ପୂରଣ କରିଥିଲେ। ସେହି ବିଶ୍ବକପ୍‌ ସଚିନ୍‌ଙ୍କ କ୍ୟାରିୟରର ଶେଷ ଥିଲା। ସେତେବେଳ ପର୍ଯ୍ୟନ୍ତ ଅନ୍ୟାନ୍ୟ ସମସ୍ତ ଟ୍ରଫି ସଚିନ୍ ଜିତିଥିଲେ ମଧ୍ୟ ବିଶ୍ବକପ୍‌ ତାଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଥିଲା। ଯାହାକି ୨୦୧୧ରେ ସାକାର ରୂପ ନେଇଥିଲା।

ସୂଚନାଯୋଗ୍ୟ, ସେହି ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀର ୯୭ ରନ୍‌ର ପାଳି ଖେଳିଥିଲା ବେଳେ ଛକାରେ ମ୍ୟାଚ୍‌ ଶେଷ କରିଥିବା ଅଧିନାୟକ ଧୋନିଙ୍କ ସହ ଯୁବରାଜ ସିଂହଙ୍କ ଭାଗୀଦାରି ଭାରତକୁ ବିଶ୍ବ ବିଜେତା କରାଇଥିଲା। ଯୁବରାଜ ବ୍ୟକ୍ତିଗତ ଭାବେ ୨୧ ରନ୍‌ କରିବା ସାଙ୍ଗକୁ କୁମାର ସାଙ୍ଗାକାରା ଓ ଥିଲନ୍‌ ସମରବୀରାଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଦଖଲ କରିଥିଲେ। ମୋଟ ୩୬୨ ରନ୍‌ ଏବଂ ୧୫ ୱିକେଟ୍‌ ଅକ୍ତିଆର କରି ସେ ମଧ୍ୟ ସେହି ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହି ବିଶ୍ବକପ୍‌ ବିଜୟର ୧୦ ବର୍ଷ ପୂର୍ତ୍ତି ଅବସରରେ ବିସିସିଆଇଠୁ ଆରମ୍ଭ କରି ଖେଳାଳିମାନେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
 ‘‘କୋଟି କୋଟି ଭାରତୀୟ ଏହି ଦିନ ବିଶ୍ବକପ୍‌ ଜିତିଥିଲେ। ଜୟ ହିନ୍ଦ୍‌। ଭାରତୀୟଙ୍କ ପାଇଁ ଥିଲା ଗର୍ବର ମୁହୂର୍ତ୍ତ’। ହେ‌ଲେ ଗୋଟିଏ ଛକା ଆମକୁ ବିଶ୍ବ ବିଜେତା କରାଇନଥିଲା। ବରଂ ଦଳଗତ ପ୍ରଦର୍ଶନ ହିଁ ବିଶ୍ବକପ୍‌ ଜିତାଇଥିଲା: ଗୌତମ ଗମ୍ଭୀର
 ୧୦ ବର୍ଷ ତଳର ଏପ୍ରିଲ ୨ ତାରିଖ ଜୀବନର ସବୁଠୁ ସ୍ମରଣୀୟ ଦିନ: ବୀରେନ୍ଦ୍ର ସେହବାଗ୍‌
 ୨୦୧୧ ଏପ୍ରିଲ ୨ ତାରିଖ। ଇତିହାସ ରଚିବାର ଦିନ ଥିଲା। ଆମେ ଭାରତ ଏବଂ ମା‌ଷ୍ଟର ବ୍ଲା‌ଷ୍ଟର ସଚିନ୍‌ଙ୍କ ପାଇଁ ବିଶ୍ବକପ୍‌ ଜିତିବାକୁ ଚାହିଁଥିଲୁ। ବିଶ୍ବକପ୍‌ ଜିତିବା ଅନନ୍ୟ ଥିଲା, କିଛି ବି ତା’ର ବିକଳ୍ପ ହୋଇପାରିବନି: ଯୁବରାଜ ସିଂହ
 ଇତି ମଧ୍ୟରେ ୧୦ ବର୍ଷ ବିତିଗଲାଣି। ସମୟ ଗଡ଼ିଚାଲିଛି ହେଲେ ସ୍ମୃତି ତାଜା ରହିଛି। ଏହା ଚମତ୍କାର ଦିନ ଥିଲା। ବିଶ୍ବକପ୍‌ ଭାରତ ଜିତିଲା: ଜାହିର ଖାନ୍‌
 ୨୦୧୧ ଏପ୍ରିଲ ୨ ତାରିଖ। ଯେଉଁଦିନ ଆମେ ସମସ୍ତେ ଭାରତୀୟ ବିଶ୍ବ ବିଜେତା ହୋଇଥିଲୁ। ତୁମମାନଙ୍କ ସ୍ନେହ, ସମର୍ଥନ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ: ହରଭଜନ ସିଂହ
 ବିଶ୍ବକପ୍‌ ଜିତିବାର ୧୦ ବର୍ଷ ପୂରିଗଲାଣି। ସାରା ବିଶ୍ବରେ ପ୍ରତ୍ୟେକ ଭାରତୀୟଙ୍କ ସ୍ବପ୍ନ ସାକାର ହୋଇଥିଲା। ଏହା ବାସ୍ତବରେ ସ୍ମରଣୀୟ ଥିଲା। ବିଶ୍ବକପ୍‌ ତୋଳି ଧରିବାର ପ୍ରତିଟି ମୁହୂର୍ତ୍ତ ମୋତେ ଆଶ୍ବସ୍ତ କରିବ ଏବଂ ଦେଶ ପାଇଁ ଗର୍ବ ଅନୁଭବ କରିବି: ସୁରେଶ ରାଇନା
 ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ମନରେ ଅନେକ ସ୍ମୃତି ତାଜା ହୋଇରହିଛି। ୨୦୧୧ ବିଶ୍ବକପ୍‌ ବିଜୟ ଆମେ ସବୁବେଳେ ଚାହୁଥିବା ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ଥିଲା: ୟୁସୁଫ୍‌ ପଠାନ୍‌
 ସମୟ କେତେ ଶୀଘ୍ର ଗଡ଼ିଯାଉଛି ଆଶ୍ଚର୍ଯ୍ୟ ଲାଗୁଛି। ୧୦ ବର୍ଷ ବିତି ଯାଇଥିବା ବିଶ୍ବାସ କରିପାରୁନି; ହେଲେ ବିଶ୍ବକପ୍‌ ବିଜୟର ମୁହୂର୍ତ୍ତ ଅଭୁଲା ହୋଇରହିଛି: ଜୟ ଶାହା
 ଧୋନି ଷ୍ଟାଇଲ୍‌ରେ ମ୍ୟାଚ୍‌ ଶେଷ କରିବାର ୧୦ ବର୍ଷ ପୂରିଗଲାଣି। ବିଶ୍ବକପ୍‌ ଜିତିବାର ସେହି ମୁହୂର୍ତ୍ତ ଏବେ ବି ଆମମାନଙ୍କୁ ଗର୍ବିତ କରୁଛି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
 ଫାଇନାଲ୍‌ରେ ଯୁବରାଜ ସିଂହଙ୍କ ପୂର୍ବରୁ ଧୋନିଙ୍କୁ ବ୍ୟାଟିଂ ପାଇଁ ପଠାଇବା ଗ୍ୟାରି କର୍ଷ୍ଟେନ୍‌ଙ୍କ ଅତ୍ୟନ୍ତ ସାହସିକ ନିଷ୍ପତ୍ତି ଥିଲା: ପାଡି ଅପ୍‌ଟନ୍‌

କୋହଲିଙ୍କ ପ୍ରଥମ  ବିଶ୍ବକପ୍‌
କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ଶେଷ ବିଶ୍ବକପ୍‌ ଏବର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ପ୍ରଥମ ଥିଲା। ଦଶନ୍ଧୀ ତଳର ସେହି ବିଶ୍ବ ବିଜେତା ଦଳର ସଦସ୍ୟ ଥିଲେ କୋହଲି। ସେତେବେଳେ କୋହଲିଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ସେ ମଧ୍ୟ ଦଳର ସବକିନଷ୍ଠ ଖେଳାଳି ରହିଥିଲେ। ମାତ୍ର ୪୫ ଦିନିକିଆର ଅଭିଜ୍ଞତା ରଖିଥିବାରୁ ତାଙ୍କଠାରୁ ଦଳ ଅଧିକ କିଛି ଆଶା ରଖିନଥିଲା। ହେଲେ ପ୍ରଥମ ବିଶ୍ବକପ୍‌ରେ କୋହଲିଙ୍କ ଅବଦାନ ବି କିଛି କମ୍‌ ନଥିଲା। ପଦାର୍ପଣ ବିଶ୍ବକପ୍‌ରେ ସେ ଶତକ ଜମାଇଥିଲେ। ବାଂଲାଦେଶ ବିପକ୍ଷରେ ଏହି ଶତକ ହାସଲ ପରେ କୋହଲି ମଧ୍ୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଶେଷରେ ଫାଇନାଲ୍‌ରେ ମୂଲ୍ୟବାନ ୩୬ ରନ୍‌କୁ କେହି ଭୁଲିବା କଥା ନୁହେଁ। ଭାରତ ୩୧/୨ରେ ସଂଘର୍ଷ କରୁଥିଲା ବେଳେ କୋହଲି କ୍ରିଜ୍‌କୁ ଆସିଥିଲେ। ପ୍ରଥମ ୭ ଓଭର ବେଳକୁ ବୀରେନ୍ଦ୍ର ସେହବାଗ୍‌ ଓ ସଚିନ୍ ଆଉଟ୍‌ ହୋଇଯିବା ପରେ ପ୍ରଶଂସକମାନେ ଭାରତର ବିଜୟ ଆଶା ହରାଇ ଦେଇଥିଲେ। ହେଲେ ଗୌତମ ଗମ୍ଭୀର (୯୭)ଙ୍କ ସହ କୋହଲି (୩୬)ଙ୍କ ୮୩ ରନ୍‌ର ଭାଗୀଦାରି ହିଁ ଭାରତର ଭାଗ୍ୟ ବଦଳାଇ ଦେଇଥିଲା। ମୋଟାମୋଟି ଭାବେ ପଦାର୍ପଣ ବିଶ୍ବକପ୍‌ରେ କୋହଲି ୯ ମ୍ୟାଚ୍‌ ଖେଳି ୨୮୨ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର