ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତ ଆଗରେ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନ୍ତର୍ଗତ ଖେଳାଯାଉଥିବା ମହିଳା କ୍ରିକେଟରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ବର୍ଷା ବାଧିତ ମ୍ୟାଚକୁ ଉଭୟ ପାର୍ଶ୍ବରୁ ୧୮ ଓଭର ଲେଖାଏଁ କରିଦିଆଯାଇଛି। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ପାକିସ୍ତାନର ପାଳି ଆରମ୍ଭ କରିଥିଲେ ମୁନିବା ଅଲି ଓ ଇରାମ ଜାଭେଦ୍‌। କିନ୍ତୁ ପାକିସ୍ତାନ ମୂଳରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା। ବିନା ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟରେ ମୁବିନା ଓ ବିସମା ମାରୁଫ ୫୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ମାତ୍ର ସ୍କୋର ୫୧ ରନ୍‌ ବେଳକୁ ପାକିସ୍ତାନ ୩ୟ ୱିକେଟ ହରାଇଥିଲା। ଭାରତୀୟ ବୋଲର ମେଘନା ସିଂହଙ୍କୁ ସଠିକ ଭାବେ ସାମ୍ନା କରି ପାରି ନଥିଲେ ଇରାମ ଜାଭେଦ। ସେ ୩ଟି ବଲ୍‌ ସାମ୍ନା କରିଥିଲେ ଓ କୌଣସି ରନ୍‌ ସଂଗ୍ରହ ନ କରି ପାଭଲିଅନ ଫେରି ଯାଇଥିଲେ। ବିସମା ୧୯ଟି ବଲ୍‌ ଖେଳି ୧୭ ରନ୍‌ କରିଥିଲେ। ସେହିପରି ଓପନର ମୁବିନା ୩୦ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ୍‌ ସଂଗ୍ରହ କରିଥିଲେ।

ପାକିସ୍ତାନ ୬୪ ରନରେ ୪ର୍ଥ, ୮୦ ରନ୍‌ରେ ୫ମ, ୯୬ ରନ୍‌ରେ ୬ଷ୍ଠ ଓ ୭ମ, ୯୭ ରନ୍‌ରେ ୮ମ, ୯୯ ରନ୍‌ରେ ଶେଷ ୨ଟି ୱିକେଟ ହରାଇଥିଲା। ପାକିସ୍ତାନ ୧୯ ରନ୍‌ରେ ୫ଟି ୱିକେଟ ହରାଇଥିଲା। ଭାରତ ପକ୍ଷରୁ ସ୍ନେହ ରାଣା ଓ ରାଧା ଯାଦବଙ୍କୁ ୨-୨ ୱିକେଟ ମିଳିଥିବା ‌ବେଳେ ରେଣୁକା ସିଂହ, ମେଘନା ସିଂହ ଓ ସେଫାଳି ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର