କରୋନା ପାଇଁ କ୍ରୀଡ଼ା ଜଗତ ଅସ୍ତବ୍ୟସ୍ତ, ୧୦୦ରୁ ଅଧିକ କ୍ରୀଡ଼ାବିତ୍ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କରେ କ୍ରୀଡ଼ା ଜଗତ ପୂରା ଘାଇଲା। ଏହି ମହାମାରୀ ପାଇଁ ବିଶ୍ବର ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିଥିଲା ବେଳେ ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚିବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଫର୍ମୁଲା ୱାନ୍, ଟେନିସ୍ ଗ୍ରାଣ୍ଡସ୍ଲାମ୍, ଚର୍ଚିତ ବାସ୍କେଟ୍‌ବଲ୍ ଲିଗ୍ ଏନ୍‌ବିଏ, ଇପିଏଲ୍, ଆଇପିଏଲ୍ ଭଳି ପ୍ରତିଯୋଗିତାକୁ କରୋନା ପ୍ରଭାବିତ କରିଛି। ସେହିଭଳି ମଙ୍ଗଳବାର ସୁଦ୍ଧା ୧୦୦ରୁ ଅଧିକ ଲୋକପ୍ରିୟ ଖେଳାଳି ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୁଖ ଓ ଲୋକପ୍ରିୟ ଖେଳାଳିମାନେ ହେଲେ….

ମାଇକେଲ୍ ଆର୍ତେତା, ଆର୍ସେନାଲ ଫୁଟବଲ୍ ପ୍ରବନ୍ଧକ
ଇଂଲଣ୍ଡର ପ୍ରସିଦ୍ଧ ଆର୍ସେନାଲ ଫୁଟ୍‌ବଲ୍ ଦଳର ପ୍ରବନ୍ଧକ ମାଇକେଲ୍ ଆର୍ତେତାଙ୍କୁ କରୋନା ସଂକ୍ରମିତ ହୋଇଥିବା ଚଳିତମାସ ୧୨ ତାରିଖରେ ଜଣାପଡ଼ିଥିଲା। ଫଳରେ କ୍ଲବ୍ ତା’ ଅଭ୍ୟାସ ପଡ଼ିଆକୁ ସଂପୂର୍ଣ୍ଣ ବନ୍ଦ ରଖିବା ସହ ନିଜର ପୂରା ଦଳକୁ ସ୍ବେଚ୍ଛାକୃତ ସଙ୍ଗରୋଧକୁ ପଠାଇ ଦେଇଛି। ଚେଲ୍‌ସି ଦଳର ୧୯ ବର୍ଷୀୟ ଖେଳାଳି କଲମ ହଡସନ୍-ଓଡୋଇ ମଧ୍ୟ ପ୍ରଥମ ପ୍ରିମିୟର ଲିଗ୍ ଖେଳାଳି ଭାବେ କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏହାପରେ ଚେଲ୍‌ସି ମଧ୍ୟ ନିଜ ଅଭ୍ୟାସକୁ ବନ୍ଦ କରି କିଛି ଖେଳାଳିଙ୍କୁ ସଙ୍ଗରୋଧକୁ ପଠାଇଛି।

ଫ୍ରାନସିସ୍କୋ ଗର୍ସିଆ, ଏମ୍‌ଏପି ଦଳର ପ୍ରବନ୍ଧକ
ସ୍ପେନୀୟ ଦଳ ମଲ୍‌ଗା କ୍ଲବ୍ ଆଟ୍‌ଲେଟିକୋ ପୋର୍ଟାଡା ଆଲଟାର ୨୧ ବର୍ଷୀୟ ଯୁବ ପ୍ରବନ୍ଧକ କରୋନା ସଂକ୍ରମଣ ପାଇଁ ପ୍ରାଣ ହରାଇ ସାରିଛନ୍ତି। ସେ ୨୦୧୬ରୁ ଏହି ଦଳର ପ୍ରଶିକ୍ଷକ ଥିଲେ। କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିବାରେ ସେ ସ୍ପେନର ସର୍ବକନିଷ୍ଠ ବ୍ୟକ୍ତି ହୋଇଛନ୍ତି। ଗତ ରହିବାର ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ମରୌନେ ଫେଲାନି, ବେଲଜିୟମ ଫୁଟ୍‌ବଲର୍‌
ଚାଇନିଜ୍ ସୁପର ଲିଗ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ବେଲ୍‌ଜିଆନ୍ ତାରକା ମରୌନେ ଫେଲାନି ଚୀନ୍‌ରେ ହିଁ କରୋନା ସଂକ୍ରମିତ ହୋଇଥିଲେ। ଜିହାନଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ସେ ଚାଇନିଜ୍ କ୍ଲବ୍ ସାନଡଗ୍ ଲୁନେଙ୍ଗ ପକ୍ଷରୁ ଖେଳୁଥିଲେ। ୩୨ ବର୍ଷୀୟ ମରୌନେ ଗତ ୨୦ ତାରିଖରେ ଜିହାନ୍ ପହଞ୍ଚିବା ପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା।

ସାମ୍ପଡୋରିଆ ଫୁଟ୍‌ବଲ୍ କ୍ଲବ୍‌ର ୫ ଖେଳାଳି
ଇଟାଲିର ଅନ୍ୟତମ ସଫଳ ଫୁଟ୍‌ବଲ୍ କ୍ଲବ୍ ସାମ୍ପଡୋରିଆର ୫ ଜଣ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଦଳର ଆଉ କେତେକ ଖେଳାଳିଙ୍କ ଦେହରେ ମଧ୍ୟ କରୋନା ଲକ୍ଷଣ ପ୍ରକାଶ ପାଇଥିବା ଜଣାପଡ଼ିଛି। କ୍ଲବ୍ ଏଥିଲାଗି ଏ ସମସ୍ତ ଖେଳାଳିଙ୍କୁ ସଙ୍ଗରୋଧକୁ ପଠାଇ ଦେଇଛି।

ଉ’ ଲେଇ, ଚାଇନିଜ୍ ଫୁଟ୍‌ବଲର
ଚୀନ୍‌ର ଅନ୍ତର୍ଜାତୀୟ ଫୁଟ୍‌ବଲ୍ ତାରକା ଉ’ ଲେଇ ମଧ୍ୟ କରୋନା ଆକ୍ରାନ୍ତ। ଗତ ୨୧ ତାରିଖରେ ହିଁ ଏକଥା ପଦାକୁ ଆସିଥିଲା। ସ୍ପେନ୍‌ର ଏସ୍ପାନଲ୍ କ୍ଲବ୍ ପକ୍ଷରୁ ଲେଇ ଖେଳନ୍ତି। ଏହି ୨୮ ବର୍ଷୀୟ ଖେଳାଳି ଏବେ ସଙ୍ଗରୋଧରେ ଅଛନ୍ତି। ଲେଇ ନିଜ ସ୍ବାସ୍ଥ୍ୟାବସ୍ଥା ନେଇ ନିଜ ପ୍ରଶଂସକମାନଙ୍କୁ ନିୟମିତ ଟ୍ବିଟ୍ କରି ଜଣାଉଛନ୍ତି।

ଡିବାଲା, ମାତୁଇଦି ଓ ରୁଗାନି
ଇଟାଲିର ସୁପରିଚିତ ଫୁଟ୍‌ବଲ୍ କ୍ଲବ୍‌ ଜୁଭେଣ୍ଟସର ରକ୍ଷଣଭାଗ ଖେଳାଳି ଡାନିଏଲ୍ ରୁଗାନି ଅଗ୍ରଭାଗ ଖେଳାଳି ତଥା ତାଙ୍କ ଆର୍ଜେଣ୍ଟେନୀୟ ସାଥୀ ପାଉଲୋ ଡିବାଲା, ରକ୍ଷଣଭାଗ ଖେଳାଳି ବ୍ଲାଇସ୍ ମାତୁଇଦିଙ୍କ ସହ କରୋନା ଆକ୍ରାନ୍ତ ହୋଇଛନ୍ତି। ଡିବାଲାଙ୍କ ପ୍ରେମିକା ଓରିଆନା ସବାତିନି ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ଚୀନ୍‌ ପରେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ସେଠାକାର ଆଉ କେତେକ ଦ୍ବିତୀୟ ସ୍ତରୀୟ ଫୁଟ୍‌ବଲ୍ କ୍ଲବ୍‌ର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଥିବାର ଖବର ବି ଆସିଛି। ଇଟାଲିର ଏସି ମିଲାନ ଦଳର କିମ୍ବଦନ୍ତୀ ଖେଳାଳି ପାଓଲୋ ମାଲଦିନି ଓ ତାଙ୍କ ପୁଅ ଡାନିଏଲ୍ ମଧ୍ୟ କରୋନା ପଜିଟିଭ୍ ଥିବା କ୍ଲବ୍ ପକ୍ଷରୁ କୁହାଯାଇଛି।

ଲୁକା କିଲିଆନ, ଜର୍ମାନ ଫୁଟ୍‌ବଲର୍‌
ଜର୍ମାନିର ତାରକା ଫୁଟ୍‌ବଲ୍‌ର ଲୁକା କିଲିଆନ ମଧ୍ୟ ‌କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨୦ ବର୍ଷୀୟ କିଲିଆନ ଆହତ ଯୋଗୁଁ ଗତ କିଛି ଦିନ ହେବ ଫୁଟ୍‌ବଲ୍‌ରୁ ଦୂରେଇ ରହିଥିଲେ। ତାଙ୍କ କ୍ଲବ୍ ପଡେରବର୍ନର ପ୍ରବନ୍ଧକ ଷ୍ଟିଭେନ୍ ବମଗାର୍ଟ ମଧ୍ୟ ଏହି ମାରାତ୍ମକ ଭୂତାଣୁ ପୀଡ଼ିତ। ଫ୍ରାନ୍ସ କ୍ଲବ୍ ଟ୍ରୟସର ଅଗ୍ରଭାଗ ଖେଳାଳି ସୁକ୍ ହିଆନ ଜୁନଙ୍କୁ ବି କରୋନା ସଂକ୍ରମଣ ହୋଇ ସାରିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି।

ଡେପୋରଟିଭ୍ ଆଲଭେସ୍ ଫୁଟ୍‌ବଲ୍ କ୍ଲବ୍
ସ୍ପେନୀୟ ଫୁଟ୍‌ବଲ୍ କ୍ଲବ୍ ଡେପୋରଟିଭର ୧୫ ଜଣ ଖେଳାଳି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରେ କ୍ଲବ୍‌ର ବରିଷ୍ଠ ଦଳର ୩ ଜଣ ଖେଳାଳି ଥିଲା ବେଳେ ପ୍ରଶିକ୍ଷକ ମଣ୍ଡଳିର ୭ ଜଣ ସଦସ୍ୟ ରହିଛନ୍ତି। ହେଲେ ଚିନ୍ତାଜନକ ବିଷୟ ହେଲା ଏମାନଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ତଥାପି ସେମାନେ ଏହା ଦ୍ବାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା।

ରୁଡି ଗୋବର୍ଟ, ବାସ୍କେଟ୍‌ବଲ୍ ଖେଳାଳି
ଆମେରିକାର ଲୋକପ୍ରିୟ ବାସ୍କେଟ୍‌ବଲ୍ ଲିଗ୍ ‘ଏନବିଏ’ର ତାରକା ଖେଳାଳି ରୁଡି ଗୋବର୍ଟଙ୍କୁ ମଧ୍ୟ କରୋନା ହୋଇଛି। ଏନ୍‌ବିଏ ଏକ ପ୍ରେସ୍ ବିଜ୍ଞପ୍ତିରେ ଏକଥା ଜଣାଇଛି। ଗୋବର୍ଟ ଉଟାହା ଜାଜ୍ ଦଳରୁ ଖେଳନ୍ତି। ତାଙ୍କ ସହ ଆଉ କେତେକ ଖେଳାଳି ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଲିଗ୍ ପକ୍ଷରୁ ଆଶଙ୍କା ଜାହିର କରାଯାଇଛି। ତେବେ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଡୋନୋଭାନ୍ ମିଚେଲ ନାମକ ଆଉ ଜଣେ ଖେଳାଳିଙ୍କ ଦେହରେ କାରୋନା ଲକ୍ଷଣ ପରିଲକ୍ଷିତ ହୋଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

କେଭିନ ଡୁରାଣ୍ଟ, ଆମେରିକୀୟ ବାସ୍କେଟ୍‌ବଲ୍ ଖେଳାଳି
ଆମେରିକୀୟ ବାସ୍କେଟ୍‌ବଲ୍ ଖେଳାଳି କେଭିନ ଡୁରାଣ୍ଟ ମଧ୍ୟ କରୋନା ଆକ୍ରାନ୍ତ। ଏନ୍‌ବିଏରେ ସେ ବ୍ରୁକଲିନ୍ ନେଟ୍ସ ଦଳ ପକ୍ଷରୁ ଖେଳନ୍ତି। ଏହି ଦଳର ଅନ୍ୟ ଚାରି ଜଣ ଖେଳାଳିଙ୍କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ସମସ୍ତେ ଏବେ ସ୍ବେଚ୍ଛାକୃତ ସଙ୍ଗରୋଧରେ ରହିଛନ୍ତି। ଲସଆଞ୍ଜେଲସ୍ ଲେକର ଦଳର ଦୁଇ ଜଣ ଓ ବୋଷ୍ଟନ୍ ସିଟିଜ୍ ଦଳର ମାର୍କସ ସ୍ମାର୍ଟ ମଧ୍ୟ କରୋନା ପୀଡ଼ିତ ଥିବାର ଖବର ଏକ ଆମେରିକୀୟ ୱେବସାଇଟ୍ ଦେଇଛି।

ଫର୍ନାଣ୍ଡୋ ଗାଭିରିଆ, ସାଇକ୍ଲିଷ୍ଟ
ଟୁର୍ ଡି’ ଫ୍ରାନ୍ସ ଭଳି ସମ୍ମାନଜନକ ସାଇକେଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସାରିଥିବା କଲମ୍ବିଆ ସାଇକ୍ଲିଷ୍ଟ ଫର୍ନାଣ୍ଡୋ ଗାଭିରିଆ ମଧ୍ୟ କରୋନା ଆକ୍ରାନ୍ତ। ଏକଥା ଚଳିତ ମାସ ୧୨ ତାରିଖରୁ ଜଣାପଡ଼ିଲାଣି। ୟୁଏଇରେ ଆୟୋଜିତ ଏକ ସାଇକେଲ୍ ରେସ୍‌ରେ ଅଂଶଗ୍ରହଣ କରୁଥିଲା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରୀକ୍ଷାରୁ ସେ କରୋନା ପୀଡ଼ିତ ଥିବା ସ୍ପଷ୍ଟ ହୋଇଥିଲା। ୟୁଏଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆଉ ଜଣେ ସାଇକ୍ଲିଷ୍ଟ ଦିମିତ୍ରି ଷ୍ଟ୍ରାକୋଭ ମଧ୍ୟ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ତାଙ୍କ ପ୍ରବନ୍ଧକ ପ୍ରକାଶ କରିଛନ୍ତି।

ଭିକ୍ଟର ଲଙ୍ଗ, ଗଲ୍ଫ
ଦକ୍ଷିଣ ଆଫ୍ରିକାର ସଫଳ ଗଲ୍ଫ ତାରକା ଭିକ୍ଟର ଲଙ୍ଗ୍ ମଧ୍ୟ କରୋନା ଆକ୍ରାନ୍ତ। ମେକ୍ସିକୋରେ ପିଜିଏ ଟୁର୍ ଖେଳି ଜୋହାନେସ୍‌ବର୍ଗରେ ଥିବା ନିଜ ଘରକୁ ଫେରିବା ପରେ ସେ ଅସୁସ୍ଥ ହୋଇଥିଲେ। ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଗତ ୧୭ ତାରିଖରୁ ସେ ଏକାନ୍ତରେ ରହି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର