ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ଶନିବାରଠୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲ୍‌କାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ ମ୍ୟାଚ୍‌ ଖେଳାଯିବ। କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେବେ। ଏହାପରେ ଅପରାହ୍‌ଣ ୩ଟାରେ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ କୋଲ୍‌କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍‌ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍‌ଏ)କୁ।

Advertisment

ଭାରତ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧‌ରେ ଜିତି ଦୃଢ଼ ମନୋବଳରେ ରହିଛି। ଏମିତି ବି ବିଜେତା ଭାରତ ନିଜ ଘରୋଇ ପଡ଼ିଆରେ ଏହି ପ୍ରତିଯୋଗିତା ଖେଳୁଛି। ତେଣୁ ପ୍ରଥମ ମ୍ୟାଚ୍‌ ଦୁର୍ବଳ ୟୁଏସ୍‌ଏ ବିପକ୍ଷରେ ଥିବାରୁ ବଡ଼ ବିଜୟରୁ ଟ୍ରଫି ବଜାୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ଦଳ। ଦେଖିବାକୁ ଗଲେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଏକ ସନ୍ତୁଳିତ ଦଳ ରହିଛି। ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ଚିନ୍ତା ହେଉଛି ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବା। ଏଥି ନେଇ ସେ କହିଛନ୍ତି, ଆବଶ୍ୟକ ପଡ଼ିରେ ଦୁଇ ଜଣ ସ୍ପିନର୍‌ଙ୍କୁ ଖେଳାଇବୁ। ଆମ ପାଖରେ ଭଲ ବୋଲର ଅଛନ୍ତି। ହେଲେ ଆମକୁ ମ୍ୟାଚ୍‌ ବେଳେ ଭଲ ଯୋଡ଼ି ଦେଖିବାକୁ ପଡ଼ିବ। ଅଭିଷେକ ଶର୍ମା ଓ ଈଶାନ କିଶାନ ଓପନିଂ କରିବେ। ଆହତ ସମସ୍ୟାରେ ଥିବା ୱାସିଂଟନ୍‌ ସୁନ୍ଦର ସୁସ୍ଥ ହୋଇଥିଲେ ମଧ୍ୟ ୱାର୍ମ-ଅପ୍‌ ମ୍ୟାଚ୍‌ ଖେଳି ନଥିଲେ। ତେଣୁ ୟୁଏସ୍‌ଏ ବିପକ୍ଷରେ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଖେଳିବାର ସମ୍ଭାବନା ଅଧିକ ରହିଛି। ୱାର୍ମ-ଅପ୍‌ ମ୍ୟାଚ୍‌ରେ ଆହତ ହୋଇଥିବା ହର୍ଷିତ ରାଣା ବାଦ୍‌ ପଡ଼ିବା ଆଶଙ୍କା ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ତେବେ ତିଳକ ବର୍ମା ସୁସ୍ଥ ହୋଇ ଫେରିବା ଦଳ ପାଇଁ ଭଲ ଖବର।

ଅନ୍ୟପକ୍ଷରେ ୟୁଏସ୍‌ଏ ଦଳରେ ୧୧ ପାକିସ୍ତାନୀ ଏବଂ ଅଧିନାୟକ ମୋନାକ ପଟେଲଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ‘ପାକିସ୍ତାନ କି ଭାରତ ନୁହେଁ ୟୁଏସ୍‌ଏରୁ ପ୍ରତିନିଧିତ୍ବ କରିବାକୁ ଆସିଛୁ’ ବୋଲି ଅଧିନାୟକ ମୋନାକ କହି ଏହି ଆଲୋଚନାକୁ ବନ୍ଦ କରିଛନ୍ତି। ମୁମ୍ବାଇରେ ଜନ୍ମିତ ଏବଂ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିବା ହର୍ମିତ ସିଂହ ୟୁଏସ୍‌ଏ ଦଳରେ ରହିଛନ୍ତି। ସେ ନିଜ ଜନ୍ମ ମାଟିରେ ଭଲ କରିବା ଆଶା ରଖିଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍‌ରକ୍ଷକ), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ୟୁଏସ୍‌ଏ ଦଳ: ସାଇତେଜା ମୁକାମଲ୍ଲା, ଆଣ୍ଡ୍ରିଜ୍‌ ଗସ୍‌ (ୱିକେଟ୍‌ରକ୍ଷକ), ଶାୟନ ଜାହାଙ୍ଗୀର, ମୋନାକ ପଟେଲ (ଅଧିନାୟକ), ମିଲିନ୍ଦ କୁମାର, ହର୍ମିତ ସିଂହ, ଶୁଭମ ରଞ୍ଜାନେ, ମହମ୍ମଦ ମୋହସିନ, ସାଡ୍‌ଲେ ଭାନ୍‌ ଶ୍ଚାଲକ୍ବିକ, ସୌରଭ ନେତ୍ରାଭଲକର, ଅଲୀ ଖାନ।