ମୁମ୍ବାଇ: ଆଇପିଏଲ୍-୧୫ର ଅନ୍ତିମ ପର୍ଯ୍ୟାୟ ପାଖେଇ ଆସୁଥିବା ବେଳେ ପ୍ରତିଟି ଦଳର ସୁଯୋଗ ଓ ସମ୍ଭାବନାକୁ ନେଇ ଅଙ୍କକସା ଆରମ୍ଭ ହୋଇଯାଇଛି। ପ୍ଲେ-ଅଫ୍ର ୪ ମ୍ୟାଚ୍କୁ ଛାଡ଼ି ସୋମବାର ସକାଳ (ମଇ ୯) ଲିଗ୍ର ଆଉ ୧୫ ମ୍ୟାଚ୍ ଖେଳାଯିବାକୁ ବାକି ଅଛି। ଏହି ୧୫ ମ୍ୟାଚ୍ରୁ ମୋଟ ୩୨, ୭୬୮ ସୁଯୋଗ ରହିଛି ଯେଉଁ ଫଳାଫଳ ମିଳିପାରିବ। ଏନ୍ଆର୍ଆର୍ ଓ ଫଳାଫଳ ବିହୀନକୁ ସମ୍ଭାବନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଆସନ୍ତୁ ୧୧ଟି ପଏଣ୍ଟ୍ରେ ବିଭିନ୍ନ ଦଳର ସୁଯୋଗ ଓ ସମ୍ଭାବନା ଉପରେ ନଜର ପକାଇବା।
୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଶ୍ରେଷ୍ଠ ସ୍ଥାନ ଭାବେ ଏହା ପଞ୍ଚମରେ ଅଭିଯାନ ଶେଷ କରିପାରିବ।
ରବିବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ପରେ ଚେନ୍ନାଇ ସୁପର୍ କିଙ୍ଗ୍ସର ସୁଯୋଗ ଏବେ ୩.୪ ପ୍ରତିଶତକୁ ବଢ଼ିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଯଦି ନିଜର ପରବର୍ତୀ ୩ ମ୍ୟାଚ୍ ଜିତିପାରିବ ତେବେ ଯୁଗ୍ମ ଚତୁର୍ଥ କିମ୍ବା ଯୁଗ୍ମ ତୃତୀୟରେ ରହି ପ୍ଲେ ଅଫ୍ ଯାଇପାରିବ।
୪ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଯୁଗ୍ମ ତୃତୀୟରେ ରହିବାର ସମ୍ଭାବନା ମାତ୍ର ୦.୩ ପ୍ରତିଶତ ରହିଛି। ଚତୁର୍ଥରୁ ସପ୍ତମ ସ୍ଥାନ ମଧ୍ୟରେ ଏହି ଦଳ ୧୪ ପଏଣ୍ଟ୍ ଟାଇ ସ୍ଥିତିରେ ପହଞ୍ଚିପାରିବ।
ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ ଶୀର୍ଷ ୪ ଭିତରେ ପ୍ରବେଶ କରିବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ରବିବାର ମ୍ୟାଚ୍ ପରେ ଏହି ଦଳର ସମ୍ଭାବନା ୨.୯ ପ୍ରତିଶତକୁ କମିଛି। ଚତୁର୍ଥରୁ ସପ୍ତମ ସ୍ଥାନ ଟାଇ ସ୍ଥିତିରେ ଏହି ଦଳ ରହିବା ସମ୍ଭାବନା ମାତ୍ର ୦.୨ ପ୍ରତିଶତ। ସୋମବାର ରାତିରେ ମୁମ୍ବାଇଠାରୁ ହାରିଲେ ଏହି ଦଳର ପ୍ଲେ ଅଫ୍ ସୁଯୋଗ ଏହିଠାରେ ଶେଷ ହୋଇଯିବ।
ପଞ୍ଜାବ କିଙ୍ଗ୍ସ ଚତୁର୍ଥ କିମ୍ବା ଯୁଗ୍ମ ତୃତୀୟ/ଦ୍ବିତୀୟ ସ୍ଥାନରେ ରହିବା ସମ୍ଭାବନା ୨୫ ପ୍ରତିଶତ। ପଏଣ୍ଟ୍ ଟେବୁଲ୍ ଶୀର୍ଷରେ ଏହି ଦଳ ରହିବା ସମ୍ଭାବନା ନାହିଁ।
ରବିବାର ରାତି ପରାଜୟ ସହିତ ସନ୍ରାଇଜର୍ସ ହାଇଦ୍ରାବାଦର ଶୀର୍ଷ ୪ ଭିତରେ ରହିବା ସମ୍ଭାବନା ୪୨.୫ ପ୍ରତିଶତରୁ ୨୧.୨କୁ ହ୍ରାସ ପାଇଛି। ଚେନ୍ନାଇଠାରୁ ଦିଲ୍ଲୀର ପରାଜୟ ମଧ୍ୟ ଏହି ଦଳର ସମ୍ଭାବନାକୁ ୪୧.୪ ପ୍ରତିଶତରୁ ୨୩ ପ୍ରତିଶତକୁ ଖସାଇ ଦେଇଛି। ଉଭୟ ଦଳ ଏଥର ପଏଣ୍ଟ୍ ଟେବୁଲ୍ ଶୀର୍ଷରେ ପହଞ୍ଚିବାର ସମ୍ଭାବନା ନାହିଁ।
ଦୁଇ ଦଳ ମଧ୍ୟରେ ଆସୁଥିବା ସୁଯୋଗ ପରବର୍ତ୍ତୀ ଖେଳସୂଚୀରୁ ସ୍ପଷ୍ଟ ହେବ ଏବଂ ଚୂଡ଼ାନ୍ତ ମାନ୍ୟତା ହିଁ ଏହାକୁ ନିର୍ଧାରିତ କରିବ।
ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବା ପରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଶୀର୍ଷ ୪ ଭିତରେ ରହିବା ସମ୍ଭାବନାକୁ ୬୩ ପ୍ରତିଶତରୁ ୮୯.୬ ପ୍ରତିଶତକୁ ବଢ଼ାଇଛି।
ରବିବାରର ଫଳାଫଳ ମଧ୍ୟ ରାଜସ୍ଥାନ ରୟାଲ୍ସର ଶୀର୍ଷ ୪ ଅଭିଯାନ ସମ୍ଭାବନାକୁ ୯୩.୮ ପ୍ରତିଶତରୁ ୯୫.୯ ପ୍ରତିଶତକୁ ବଢ଼ାଇଛି। ଏବେ ସେମାନେ ଅତି ଖରାପରେ ଶେଷ ୨ ମ୍ୟାଚ୍ ହାରିଲେ ୬ ନମ୍ବର ତଳକୁ ଯିବାର ନାହିଁ।
ଚଳିତ ଋତୁର ଦୁଇ ନୂଆ ଦଳ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ ପଏଣ୍ଟ୍ ଭିତିରେ ଶୀର୍ଷ ୪ ଭିତରେ ରହିବା ପ୍ରାୟ ନିଶ୍ଚିତ। ଉଭୟ ଦଳ ସେମାନଙ୍କ ଅବଶିଷ୍ଟ ମ୍ୟାଚ୍ ହାରିଗଲେ ବି ଯୁଗ୍ମ ଚତୁର୍ଥରେ ରହିପାରିବେ।
ସଂକ୍ଷେପରେ କହିଲେ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ, ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ଲେ ଅଫ୍ ସମ୍ଭାବନାକୁ ଦୃଢ଼ କରିଛନ୍ତି। ରାଜସ୍ଥାନ ରୟାଲ୍ସ ଓ ଆର୍ସିବିକୁ ପଛକୁ ଟାଣିବା ଲାଗି ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଅକ୍ଷମ ହେବେ ବୋଲି ବିଶ୍ବାସ କରାଯାଉଛି।