ଭୁବନେଶ୍ୱର: କିଟ୍-କିସ୍‌ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିରଂତର ସମର୍ଥନ କାରଣରୁ ଆମେ ଉତ୍ସାହିତ ରହିଛୁ। ଏହି ଅଗ୍ରଣୀ ଶିକ୍ଷାକନୁଷ୍ଠାନଦ୍ବୟ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ପ୍ରଶଂସକଙ୍କ ପ୍ରାର୍ଥନା ମଧ୍ୟ ଆମକୁ ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରିଛି। ଏହାକୁ ନଜରରେ ରଖି ପ୍ୟାରିସ୍ ଅଲିମ୍ପିକ୍ସରେ ଆମେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ ବୋଲି ଆଶା ପ୍ରକଟ କରିଛନ୍ତି ପ୍ୟାରିସ୍ ଟିକେଟ୍ ହାତେଇଥିବା ୧୧ ଜଣ ଖେଳାଳି। ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ କିଶୋର ଜେନା କୃତଜ୍ଞତା ଜଣାଇବା ଅବସରରେ ରାଜ୍ୟ ଓ ଦେଶର ନାଁ ରଖିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ପ୍ୟାରିସ୍‍ ଅଲିମ୍ପିକ୍ସରେ ‘କିଟ୍‌’ ଓ କିସ୍‍ରୁ ୧୧ ଜଣ ଖେଳାଳି ଭାରତର ପ୍ରତିନିଧିତ୍ବ କରିବା ଲାଗି ସୁଯୋଗ ପାଇଛନ୍ତି। କୌଣସି ଶିକ୍ଷାନୁଷ୍ଠାନରୁ ଏକ ନିର୍ଦ୍ଦିଷ୍ଟ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବାରେ ‘କିଟ୍‌’ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଏଥି ପାଇଁ ଗୁରୁବାର କିଟ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଶୁଭକାମନା କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିଲେ। ୟୁରୋପର ବିଭିନ୍ନ ଦେଶରେ ବର୍ତ୍ତମାନ ତାଲିମରତ ଥିବାରୁ ସେମାନେ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ। ଏହି ଅବସରରେ ‘କିଟ୍‌’ ଓ ‘କିସ୍‍’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ସାମନ୍ତ ସଫଳତା କାମନା କରିଛନ୍ତି। ପ୍ୟାରିସ୍‍ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳରେ ଥିବା ‘କିଟ୍‌’ର ଖେଳାଳିମାନେ ହେଲେ ହକିରେ ଅମିତ ରୋହିଦାସ, ଜାଭେଲିନ୍‍ ଥ୍ରୋରେ କିଶୋର କୁମାର ଓ ଅନୁ ରାଣୀ, ସଟ୍‍ପୁଟରେ ତେଜିନ୍ଦର ସିଂହ ତୁର, ୩୦୦୦ ମିଟର୍‌ ଷ୍ଟିପ୍‍ଲଚେଜରେ ପାରୁଲ ଚୌଧୁରୀ, ୨୦ କିଲୋମିଟର ରେସ୍‍ ୱାକ୍‍ ଓ ମାରାଥନ ରେସ୍‍ ୱାକ୍‍ ମିକ୍‍ସଡ ରିଲେରେ ପ୍ରିୟଙ୍କା, ୧୦୦ ମିଟର ହର୍ଡଲ୍‍ସରେ ଜ୍ୟୋତି ୟାରାଜି, ୪ ଗୁଣା ୪୦୦ ମିଟର ରିଲେ ଦଳରେ ପ୍ରାଚୀ, ୫୦୦୦ ମିଟରରେ ଅଙ୍କିତା, ୨୦ କିଲୋମିଟର ରେସ୍‍ ୱାକରେ ପରମଜିତ୍‍ ସିଂହ ବିଷ୍ଟ, ମାରାଥନ ରେସ୍‍ ୱାକ୍‍ ମିକ୍‍ସଡ ରିଲେ ଟିମରେ ସୂରଜ ପନୱାର। ସଟୁପୁଟର୍‌ ଅଭା ଖଟୁଆ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଶେ‌ଷ ମୁହୂର୍ତରେ ତାଙ୍କ ନାମକୁ ବାଦ୍ ଦିଆଯାଇଛି। ଲିଙ୍ଗଗତ ବିକାଶରେ ପ୍ରଭେଦ କାରଣରୁ ସେ ବାଦ୍ ପଡ଼ିଥାଇପାରନ୍ତି ବୋଲି ବିଶ୍ବାସ କରାଯାଉଛି। ତେବେ ପ୍ୟାରିସ୍ ଯାଉଥିବା ଭାରତୀୟ ଦଳରେ ମୋଟ ୨୯ ଜଣ ଆଥଲେଟ୍ ସାମିଲ ଥିବାବେଳେ ୧୦ ଜଣ କିଟ୍‌ରୁ ସାମିଲ ହେବା ଉଲ୍ଲେଖନୀୟ।

ଏହି ଅବସରରେ ଶ୍ରୀ ସାମନ୍ତ କହିଲେ, ‘କିଟ୍‌’ ଓ କିସ୍‍ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଅଲିମ୍ପିଆନ୍‍ ତିଆରି ହୋଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି। ଆମ ଅନୁଷ୍ଠାନରୁ ଏପର୍ଯ୍ୟନ୍ତ ମୋଟ ୨୦ ଅଲିମ୍ପିଆନ୍‍, ୨ ପାରାଅଲିମ୍ପିଆନ୍‍ ତିଆରି ହୋଇସାରିଲେଣି। ସେମାନେ ୨୦୧୬ ରିଓ ଅଲିମ୍ପିକ୍ସ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୧ଜଣ ପ୍ୟାରିସ୍‍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍‍ ସିଂହ ସେଖାଓଁ, ‘କିଟ୍‌’ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, ମୁଖ୍ୟ ଆଥଲେଟିକ ପ୍ରଶିକ୍ଷକ ସଞ୍ଜୟ କୁମାର ଗଡ଼ନାୟକ ଏବଂ ‘କିଟ୍‌’ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟର ୫ ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ, ଶ୍ରାବଣୀ ନନ୍ଦ, ଦୂତି ଚାନ୍ଦ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍‌ଙ୍କ ସହ ଅମିୟ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଷ୍ଟାନଲି ଭିକ୍ଟର ମିଞ୍ଜ୍‌ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେହିଭଳି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ ପକ୍ଷରୁ ନିଯୁକ୍ତ ହୋଇଥିବା ଡାକ୍ତର ସୁଦୀପ ଶତପଥୀଙ୍କୁ ମଧ୍ୟ ଶୁଭକାମନା ଜଣାଇଥିଲେ ଡକ୍ଟର ସାମନ୍ତ।