ନୂଆଦିଲ୍ଲୀ : ୱିମ୍ବଲଡନ୍‌ ଓପନ୍‌ରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପୁରସ୍କାର ରାଶିରେ ୧୧.୨ ପ୍ରତିଶତ ବୃଦ୍ଧି ହୋଇଛି। ଦ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ୍‌ କ୍ଲବ୍‌ (ଏଇଏଲ୍‌ଟିସି) ବୁଧବାର କରିଥିବା ଘୋଷଣା ଅନୁସାରେ ଚଳିତ ବର୍ଷର ମୋଟ ପୁରସ୍କାର ରାଶି ୪୪.୭ ମିଲିଅନ୍‌ ପାଉଣ୍ଡ (୫୬.୫୨ ମିଲିଅନ୍‌ ଡଲାର)ରେ ପହଞ୍ଚିଛି। କୋଭିଡ୍‌ ମହାମାରୀ ପୂର୍ବରୁ ୨୦୧୯ରେ ଦିଆଯାଇଥିବା ପୁରସ୍କାର ରାଶି ତୁଳନାରେ ଏଥର ୧୭.୧ ପ୍ରତିଶତ ବଢ଼ିଥିବା କୁହାଯାଇଛି। ପ୍ରତିଯୋଗିତାର ଏକକ ଇଭେଣ୍ଟରେ ବିଜେତାଙ୍କୁ ୨.୩୫ ମିଲିଅନ୍‌ ପାଉଣ୍ଡ ଓ ଉପବିଜେତାଙ୍କୁ ୧.୧୭୫ ମିଲିଅନ୍‌ ପାଉଣ୍ଡ ପୁରସ୍କାର ମିଳିବ।

Advertisment

୨୦୨୧ରେ ପୁରସ୍କାର ରାଶି ୧.୭ ମିଲିଅନ୍‌ ପାଉଣ୍ଡ ହ୍ରାସ କରାଯାଇଥିଲା। କିନ୍ତୁ ଗତବର୍ଷ ତାହାକୁ ୨ ମିଲିଅନ୍‌ ପାଉଣ୍ଡକୁ ବୃଦ୍ଧି ପାଇଥିଲା। ସେହିପରି ଯୋଗ୍ୟତା ପର୍ଯ୍ୟାୟର ପୁରସ୍କାରରେ ମଧ୍ୟ ୧୪.୫ ପ୍ରତିଶତକ ବୃଦ୍ଧି ହୋଇଛି। ପ୍ରଥମ ରାଉଣ୍ଡରେ ବିଦା ହେଉଥିବା ଖେଳାଳିଙ୍କୁ ୫୫ ହଜାର ପାଉଣ୍ଡ ପୁରସ୍କାର ଦିଆଯିବ। ଏହା ଗତବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଯୁଗଳ ଇଭେଣ୍ଟରେ ଗତବର୍ଷ ଅପେକ୍ଷା ଏଥର ୧୦.୭ ପ୍ରତିଶତ ଏବଂ ହ୍ବିଲ୍‌ଚେୟାର ଓ କ୍ବାଡ ହ୍ବିଲଚେୟାର ଏକକ ଓ ଯୁଗଳରେ ପୁରସ୍କାର ରାଶିରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡ ସ୍ଲାମ୍‌ ଜୁଲାଇ ୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବୋଲି ଏଇଏଲ୍‌ଟିସି ଅଧ୍ୟକ୍ଷ ଇଆନ୍‌ ହେୱିଟ୍‌ ସୂଚନା ଦେଇଛନ୍ତି।