ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ଚେସ ସଂଘ ଏବଂ ନିଖିଳ ଓଡ଼ିଶା ଚେସ୍ ସଂଘ ମିଳିତ ଆନୁକୂଲ୍ୟରେ ଶନିବାରଠାରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ରାଜ୍ୟ ୧୧ ବର୍ଷରୁ କମ୍ ବାଳକ ଓ ବାଳିକା ଓପନ ଚେସ୍ ପ୍ରତିଯୋଗିତା ଏବଂ ଦ୍ବିତୀୟ ବୈଷ୍ଣବ ପରିଡା ସ୍ମାରକୀ ଚେସ୍ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା ଏହାକୁ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍ ସଂଘ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଭବେଶ ମହାନ୍ତି, ଆଇଏମ୍ ରାକେଶ କୁମାର ଜେନା, ରାଜ୍ୟଗୋଷ୍ଠୀ ଚେସ୍ ସ୍ବର୍ଣ୍ଣ ପଦକ ବିଜୟିନୀ ସ୍ମାରକୀ ମହାନ୍ତି, ଉପସଭାପତି ଧରଣୀଧର ସେଠୀ ଉପସ୍ଥିତ ଥିଲେ। ରାଜ୍ୟ ୧୨ ବର୍ଷରୁ କମ୍ ବର୍ଗର ବିଜେତା ଆୟୁଷ୍ମା ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦ୍ବିତୀୟ ରାଉଣ୍ଡ ସୁଦ୍ଧା କଟକର ସାଇଶକ୍ତି ପଣ୍ଡା, ବିଶ୍ବପ୍ରୀତ୍ ରୟ, ପୁରୀର ଆୟୁଷ୍ମାନ ମହାନ୍ତି, ଯାଜପୁରର ଆର୍ଯ୍ୟନ୍ ବେହେରା, ଖୋର୍ଦ୍ଧାର ସିଆମ୍ ଶତାଂଶ, ତନ୍ମୟ ତାଲିମ ବେହେରା, ବିନିତ୍ ନାୟକ ଏବଂ କେନ୍ଦୁଝରର ଶାନ୍ତନୁ ଦାସ ପ୍ରତ୍ୟେକ ୨ ପଏଣ୍ଟ ସଂଗ୍ରହ କରି ମିଳିତ ଆଗୁଆ ରହିଛନ୍ତି। ବାଳିକା ବିଭାଗରେ ୪ ଜଣ କଟକର ପ୍ରତ୍ୟହ ଜେନା, ସନ୍ଦୀପା ସାହୁ, ଶ୍ରଦ୍ଧା ନନ୍ଦ ଏବଂ ଖୋର୍ଦ୍ଧାର ଈଶାନି ଦାସ ପ୍ରତ୍ୟେକ ୨ ପଏଣ୍ଟ ଲେଖାଏଁ ସହ ଯୁଗ୍ମ ଅଗ୍ରଣୀ ଅଛନ୍ତି। ରବିବାର ଆଉ ୩ ରାଉଣ୍ଡ ଖେଳ ସହ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଉପସଭାପତି ଲଲାଟ କେଶରୀ ସାମଲ ଜଣାଇଛନ୍ତି। ପ୍ରତିଯୋଗିତାରେ ୧୦ ଜିଲ୍ଲାର ୩୪ ବାଳକ ଏବଂ ୨୨ ବାଳିକା ଭାଗ ନେଇଛନ୍ତି। ଆନ୍ତର୍ଜତୀୟ ଆର୍ବିଟର୍ ନିହାର ରଞ୍ଜନ ସାସମଲ ଓ ସହକାରୀ ପିଙ୍କି ମହାପାତ୍ର ଏହାକୁ ପରିଚାଳନା କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp