ଲଣ୍ଡନ: ଭାରତୀୟ ଓପନର୍‌ ଶୁବମନ ଗିଲ୍‌ଙ୍କୁ ମ୍ୟାଚ୍‌ ଫିର ୧୧୫ ପ୍ରତିଶତ ଜରିମାନା ହୋଇଛି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ତାଙ୍କ ବିପକ୍ଷରେ ହୋଇଥିବା ଅମ୍ପାୟାର ନିଷ୍ପତ୍ତି ଉପରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇବାରୁ ଆଇସିସି ଏହି ଜରିମନା ଲଗାଇଛି। ୪୪୪ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ପିଛା କରୁଥିବା ବେଳେ ଶୁବମନ (୧୮ ରନ୍‌)ଙ୍କୁ ଗଲି ନିକଟରେ କାମେରୁନ ଗ୍ରିନ୍‌ କ୍ୟାଚ୍‌ କରିଥିଲେ। ଏହି କ୍ୟାଚ୍‌ ମାଟିରେ ଲାଗିଥିବା ଜଣାପଡ଼ୁଥିଲେ ମଧ୍ୟ ତୃତୀୟ ଅମ୍ପାୟାର ରିଚାର୍ଡ କେଟଲଗୋରୋ ଅଷ୍ଟ୍ରେଲିଆ ସପକ୍ଷରେ ରହିଥି‌ଲେ। ଏହି ଆଉଟ୍‌ ପରେ ଶୁବମନ ଟ୍ବିଟର୍‌ରେ ବିଭିନ୍ନ କୋଣରୁ କ୍ୟାଚ୍‌ର ଫଟୋ ପୋଷ୍ଟ କରିବା ସହ ଆସନ୍ତୋଷ ଥିବାର ଇମୋଜି ରଖିଥିଲେ। ଏଥିପାଇଁ ୨୩ ବର୍ଷୀୟ ଶୁବମନଙ୍କୁ ଆଇସିସି ନିୟାମବଳୀ ୨.୭ ଅନୁଯାୟୀ ଦଣ୍ଡିତ କରାଯାଇଛି। ସେହିପରି ଫାଇନାଲ୍‌ରେ ଧିମା ଓଭର ରେଟ୍‌ ବୋଲିଂ ପାଇଁ ମଧ୍ୟ ଉଭୟ ଦଳକୁ ଜରିମନା ହୋଇଛି। ଭାରତକୁ ପୂରା ମ୍ୟାଚ୍‌ ଫି ଏବଂ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଫି’ର ୮୦ ପ୍ରତିଶତ ଜରିମାନା ଲଗାଯିବ। ଆଇସିସି ନିୟମାବଳୀ ୨.୨୨ ଅନୁଯାୟୀ ଧିମା ବୋଲିଂ ପାଇଁ ଓଭର ପିଛା ୨୦ ପ୍ରତିଶତ ମ୍ୟାଚ୍‌ ଫି’ କଟିବା ନିୟମ ରହିଛି। ‌ଯାହାଫଳରେ ଭାରତ ୫ ଓଭର କମ୍‌ ବୋଲିଂ କରିଥିବାରୁ ସବୁ ଖେଳାଳିଙ୍କର ଶତପ୍ରତିଶତ ମ୍ୟାଚ୍‌ ଫି’ କଟାଯିବ। ଏହାକୁ ଦେଖିଲେ ଶୁବମନ ଶତପ୍ରତିଶତ ମ୍ୟାଚ୍‌ ଫି’ ହରାଇଥିଲା ବେଳେ ଆଉ ୧୫ ପ୍ରତିଶତ ଫି’ ଆଇସିସି ପାଖରେ ଦାଖଲ କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି।