ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳ ଜାରି ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଯୋଜନା ହିସାବରେ ବୋଲିଂ କରି ଭାରତକୁ କମ୍ ରନ୍ରେ ସୀମିତ ରଖିବାରେ ସଫଳ ହୋଇଛି। ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂରେ ଭାରତ ଧରାଶୟୀ ହୋଇଛି। ପୂରା ଟିମ୍ ୨୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୭ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ ବିଜୟ ପାଇଁ କଙ୍ଗାରୁ ଦଳକୁ ୧୧୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଅଷ୍ଟ୍ରେଲିଆର ବୋଲରମାନେ ଆଜି ଦମଦାର ବୋଲିଂ କରିଥିଲେ। ମିଚେଲ୍ ଷ୍ଟାର୍କ ୮ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ମେଡେନ୍ ଓଭର ନେଇଥିଲେ। ୫୩ ରନ୍ ଖର୍ଚ୍ଚ କରି ଭାରତର ୫ଟି ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ସିନ୍ ଆବୋଟ୍ଙ୍କୁ ୩ଟି ୱିକେଟ୍ ମିଳିଥିଲା। ଆବୋଟ୍ ୬ ଓଭର ବୋଲିଂ କରି ୨୩ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ନାଥାନ୍ ଇଲିସ ୫ ଓଭର ବୋଲି କରି ୧୩ ରନ୍ ଦେଇଥିଲା ବେଳେ ୨ଟି ୱିକେଟ୍ ନେଇଥିଲେ।

ଭାରତର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ୍ ଗିଲ ଖାତା ନଖୋଲି ପାଭଲିଅନ ଫେରି ଆସିଥିଲେ। ଦଳର ସ୍କୋର ୩ ରନ୍ ଥିବା ବେଳେ ଘରୋଇ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୩୨ ରନ୍ରେ ଦ୍ବିତୀୟ ଓ ତୃତୀୟ ୱିକେଟ୍ ଭାବେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ୪୮ ରନ୍ରେ କେଏଲ୍ ରାହୁଲ, ୪୯ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲି୍ଅନ ଫେରି ଆସିଥିଲେ। ୭୧ ରନ୍ ବେଳକୁ ବିରାଟ କୋହଲି, ୯୧ ରନ୍ରେ ରବୀନ୍ଦ୍ର ଜାଦେଜା ଆଉଟ୍ ହୋଇଥିଲା ବେଳେ ୧୦୩ ରନ୍ରେ କୁଲଦୀପ ଯାଦବ ଓ ମହମ୍ମଦ ସାମି ପଡ଼ିଆକୁ ଫେରିଥିଲେ।
ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଯଥାକ୍ରମେ ୨୯ ଓ ୧୬ ରନ୍ ଅମଳ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲା।