ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତାକୁ ୧୨ କୋଟି

‌ପଦାର୍ପଣ କରିବ ଡିଆର୍‌ଏସ୍, ପାଳି ପିଛା ଦୁଇଟି ସୁଯୋଗ; ଅଢ଼େଇ ମିନିଟ୍‌ର ଦୁଇଟି ମୃଦୁ ପାନୀୟ ବିରତି

ଦୁବାଇ: ଚଳିତ ମାସ ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଆଇସିସି ରବିବାର ପୁରସ୍କାର ରାଶି ଘୋଷଣା କରିଛି। ତଦନୁଯାୟୀ ଏହି ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ବିଜେତା ଦଳ ୧୨ କୋଟି ଏବଂ ଉପବିଜେତା ଦଳ ୬ କୋଟି ଟଙ୍କା ଜିତିବ। ସେମିଫାଇନାଲରେ ପରାଜିତ ହୋଇଥିବା ଦୁଇଟି ଯାକ ଦଳ ପ୍ରତ୍ୟେକ ସାଢ଼େ ତିନି କୋଟି ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ଲାଭ କରିବେ। ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିବା ଦଳ ୫୩ ଲକ୍ଷ ଏବଂ ପ୍ରଥମ ରାଉଣ୍ଡରୁ ବିଦାୟ ନେଉଥିବା ଦଳ ୩୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ। ସୁପର- ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ବିଜୟ ଲାଗି ଦଳଗୁଡ଼ିକ ଅତିରିକ୍ତ ୩୦ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ଲାଭ କରିବେ।

ସେହିଭଳି ବିଶ୍ବକପ୍‌ର ପ୍ରତ୍ୟେକ ମ୍ୟାଚ୍‌ରେ ଦୁଇଟି ଅତିରିକ୍ତ ମୃଦୁ ପାନୀୟ ବିରତିକୁ ଅନୁମତି ମିଳିବ। ଏହି ବିରତି ଅଢ଼େଇ ମିନିଟ୍‌ ସମୟର ହେବ। ପ୍ରତ୍ୟେକ ପାଳିର ମଧ୍ୟଭାଗରେ ଏହି ଦୁଇଟି ମୃଦୁ ପାନୀୟ ବିରତି ନିଆଯିବ। ଆନୁଷ୍ଠାନିକ ମୃଦୁ ପାନୀୟ ବିରତିର ଉପଯୋଗ ପରେ ପ୍ରସାରଣକାରୀ ସଂସ୍ଥାଙ୍କ ବିଜ୍ଞାପନ ରାଜସ୍ବ ବଢ଼ିବ। ସେମାନେ ଅଧିକ ୫ ମିନିଟ୍‌ର ବିଜ୍ଞାପନ ସମୟ ବିକ୍ରି କରିପାରିବେ। ଭାରତ ମ୍ୟାଚ୍‌ ବେଳକୁ ଆଶାଜନକ ଭା‌ବେ ବିଜ୍ଞାପନ ଦର ଅନ୍ୟସବୁ ମ୍ୟାଚ୍ ଅପେକ୍ଷା ଅଧିକ ରହିବ।
ଆଉ ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତିକ୍ରମେ ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ଲାଗି ବହୁ ଚର୍ଚ୍ଚିତ ଡିଆର୍‌ଏସ୍ ପଦ୍ଧିତିର ଉପଯୋଗ କରାଯିବ। ଦଳଗୁଡ଼ିକ ପାଳି ପିଛା ଦୁଇଟି ଲେଖାଏଁ ଡିଆର୍‌ଏସ୍ ନେବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ ଯେ ୨୦୦୭ ମସିହାରୁ ଖେଳାଯାଇ ଆସୁଥିବା ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପୂର୍ବରୁ କେବେ ବି ଡିଆର୍‌ଏସ୍ ଲାଗୁ ହୋଇନଥିଲା। ତେବେ ଆଇସିସି ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୨୦୧୮ର ମହିଳା ଟ୍ବେଣ୍ଟି-୨୦‌ ବିଶ୍ବକପ୍‌ରେ ଉପଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର