ଆଉ ୧୨ ଦିନ: କେଦାରଙ୍କ ସମ୍ଭାବ୍ୟ ବଦଳ ଖେଳାଳି ଅକ୍ଷର, ଅମ୍ବାତି

ନୂଆଦିଲ୍ଲୀ: ଆଗାମୀ ବିଶ୍ବକପ୍‌ ପାଇଁ ପ୍ରାଥମିକ ଦଳ ଘୋଷଣା ହୋଇସାରିଥିଲେ ମଧ୍ୟ ଆଇସିସି ନିୟମ ଅନୁଯାୟୀ କୌଣସି ବି ଦଳ ଚଳିତ ମାସ ୨୩ ତାରିଖ ମଧ୍ୟରେ ବଦଳ ଖେଳାଳି ନେଇପାରିବେ। ସେହି ଦୃଷ୍ଟିରୁ ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ କେଦାର ଯାଦବଙ୍କ ଆହତକୁ ନେଇ ମନୋନୟନକର୍ତାମାନେ ଚିନ୍ତା ଜାହିର କରିଛନ୍ତି। ମନୋନୟନ ସମିତି କେଦାରଙ୍କ ଆହତ ସମସ୍ୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତି ଦିନ ତାଙ୍କ ସୁସ୍ଥତା ସଂପର୍କରେ ଫିଜିଓ ଫର୍‌ହାତ୍‌ଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସେ ୨୨ ତାରିଖ ସୁଦ୍ଧା ସୁସ୍ଥ ହୋଇ ଦଳ ସହ ଲଣ୍ଡନ ଯାତ୍ରା କରିପାରିବେ ବୋଲି ଫିଜିଓ ଆଶା ପ୍ରକଟ କରିଛନ୍ତି। ତେଣୁ ତାଙ୍କ ବଦଳ ଖେଳାଳି ବାଛିବା ନେଇ ସମିତି ଧାର୍ଯ୍ୟ ୨୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ଆଉ ଯଦି ୨୩ ତାରିଖ ସୁଦ୍ଧା କେଦାରଙ୍କ ସୁସ୍ଥତା ନେଇ ସନ୍ଦେହ ଦେଖିବେ ତେବେ ସେହିଦିନ ହିଁ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବେ। ପୂର୍ବରୁ ବିଶ୍ବକପ୍‌ ପାଇଁ ୫ ଜଣଙ୍କୁ ଷ୍ଟାଣ୍ଡ୍‌ବାଇରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ଋଷଭ ପନ୍ତ, ଅମ୍ବାତି ରାୟୁଡୁ, ଈଶାନ୍ତ ଶର୍ମା, ନଭ୍‌ଦୀପ୍‌ ସାଇନି ଓ ଅକ୍ଷର ପଟେଲ ରହିଛନ୍ତି। ହେଲେ ଯଦି କେଦାର ବିଶ୍ବକପ୍‌ ପାଇଁ ସୁସ୍ଥ ନହୁଅନ୍ତି, ତେବେ ତାଙ୍କ ସମ୍ଭାବ୍ୟ ବଦଳ ଖେଳାଳି ଭାବେ ଅକ୍ଷର ପଟେଲ କିମ୍ବା ଅମ୍ବାତି ରାୟୁଡୁଙ୍କୁ ସୁଯୋଗ ମିଳିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। କାରଣ ପନ୍ତଙ୍କୁ ବିସିସିଆଇ ଇତି ମଧ୍ୟରେ ୱେଷ୍ଟଇଣ୍ଡିଜ୍‌-ଏ ବିପକ୍ଷ ଭାରତ-ଏ ଦଳରେ ସାମିଲ କରିସାରିଛି। ଫଳରେ ପନ୍ତ ଭାରତ-ଏ ପକ୍ଷରୁ ଖେଳି ବିଶ୍ବକପ୍‌ ପରେ ପରେ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ପ୍ରସ୍ତୁତି କରିବାର ସ୍ପଷ୍ଟ ଆଭାସ ଦେଇଛନ୍ତି। ବିଶ୍ବକପ୍‌ ପାଇଁ ପନ୍ତଙ୍କୁ ସାମିଲ କରିବାକୁ ବିଭିନ୍ନ ଆଡୁ ଚାପ ପ୍ରୟୋଗ କରାଯାଉଥିଲା ବେଳେ ଏହା ସମ୍ଭବ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର