୧୨ ଘଣ୍ଟା, ୨ ଦେଶ, ୧୦ ୱିକେଟ୍‌

ମୁମ୍ବାଇ/କାଣ୍ଡି: କ୍ରିକେଟରଙ୍କ ପାଇଁ ବିମାନଯାତ୍ରା ଏବଂ ମ୍ୟାଚ୍‌ ଖେଳିବା ଅଭ୍ୟାସଗତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଗୁରୁବାର ଲସିଥ୍ ମାଲିଙ୍ଗାଙ୍କ ନିଆରା କାହାଣୀ ଢେର ଚର୍ଚାକୁ ଆସିଛି। ବିଗତ ୧୨ ଘଣ୍ଟା ଭିତରେ ଏହି ସିଂହଳୀ ଦ୍ରୁତ ବୋଲର ଦୁଇଟି ଦେଶରେ ଖେଳିବା ସହିତ ୧୦ ୱିକେଟ୍ ଦଖଲ କରି ଉଲ୍ଲେଖନୀୟ ପ୍ରଦର୍ଶନ ଦେଖାଇଛନ୍ତି। ବୁଧବାର ରାତିରେ ୱାଙ୍ଖଡେରେ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଖେଳିଥିବା ମାଲିଙ୍ଗା ୩୪ ରନ୍‌ରେ ୩ ୱିକେଟ୍‌ ନେଇଥିଲେ। ରାତାରାତି ବିମାନଯୋଗେ ସ୍ବଦେଶ ପ୍ରତ୍ୟାବର୍ତନ କରିବା ପରେ ଗୁରୁବାର କାଣ୍ଡିରେ ସୁପର୍ ଫୋର୍‌ ପ୍ରଭିନ୍‌ସିଆଲ ସୀମିତ ଓଭର କ୍ରିକେଟ୍‌ରେ ଗଲ୍ ଦଳର ନେତୃତ୍ବ ନେଇଥିଲେ। ଏହି ମ୍ୟାଚ୍‌ରେ ସେ ବ୍ୟାଟିଂରେ ମାତ୍ର ୨ ରନ୍ କରିଥିଲେ। କିନ୍ତୁ ବୋଲିଂରେ ୭/୪୯ ଚିତ୍ର ପାଇଥିଲେ। କାଣ୍ଡି ବିପକ୍ଷରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ସେ ପ୍ରଥମ ୫ ୱିକେଟ୍‌ ନେବା ସାଙ୍ଗକୁ ମୋଟ ୭ ୱିକେଟ୍ ସଫଳତା ପାଇଥିଲେ। ଏଥି ସହିତ ଦୁଇ ଦିନ ଭିତରେ ଦୁଇଟି ଦେଶ ଏବଂ ଦୁଇଟି ଭିନ୍ନ ଦଳରୁ ଖେଳି ସେ ୧୦ ୱିକେଟ୍ ସଫଳତା ପାଇଥିଲେ। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍‌ ଖେଳିନଥିବା ମାଲିଙ୍ଗାଙ୍କୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସମ୍ପୂର୍ଣ୍ଣ ଆଇପିଏଲ୍ ଋତୁରେ ଖେଳିବାକୁ ସମ୍ମତି ପ୍ରଦାନ କରିଥିଲା। କିନ୍ତୁ ହଠାତ୍ ଘରୋଇ କ୍ରିକେଟ୍ ଋତୁ ପାଇଁ ଡାକିନେଇଛି। ବିଶ୍ବକପ୍‌ ଲାଗି ଏହି ସୀମିତ ଓଭର ପ୍ରତିଯୋଗିତାକୁ ଚୟନ ପ୍ରକ୍ରିୟା ଭାବେ ବିବେଚନା କରାଯାଉଥିବାରୁ ତାଙ୍କୁ ଖେଳିବାକୁ ବାଧ୍ୟ କରାଯାଇଛି। ଗଲ୍ ଦଳର ନେତୃତ୍ବ ମଧ୍ୟ ତାଙ୍କୁ ଦିଆଯାଇଛି। ବିଶ୍ବକପ୍‌ରେ ମଧ୍ୟ ମାଲିଙ୍ଗା ଶ୍ରୀଲଙ୍କା ଦଳର ନେତୃତ୍ବ ନେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର