ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୧୨୭ ରନର ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।
ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁ ପ୍ଲେସିସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୨ରନ ଯୋଗ କରିଥିଲେ । କୋହଲି ୩୧ରନଓ ଡୁପ୍ଲେସିସ୍ ୪୪ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୬ରନ କରିପାରିଥିଲା । ଲକ୍ଷ୍ନୌ ପକ୍ଷରୁ ନବିନ-ଉଲ-ହକ୍ ୩ଟି ଏବଂ ରବି ବିଷ୍ଣୋଇ ଓ ଅମିତ ମିଶ୍ରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଚଳିତ ଆଇପିଏଲରେ ଲକ୍ଷ୍ନୌ ଦଳ ୮ଟି ମ୍ୟାଚ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ପାଇଥିବାବେଳେ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ ଖେଳି ୪ ବିଜୟ ସହ ୮ ପଏଣ୍ଟ ପାଇଛି ।