‘ରେସିଙ୍ଗ୍‌’ ଦୁର୍ଘଟଣାରେ ପ୍ରାଣ ହରାଇଲେ ୧୩ ବର୍ଷିୟ ‘ବାଇକ୍‌ ରେସର୍‌’

ଚେନ୍ନାଇ: ଶନିବାର ଦିନ ଚେନ୍ନାଇର ଆୟୋଜିତ ‘ନ୍ୟାସ୍‌ନାଲ୍‌ ମୋଟୋର୍‌ସାଇକେଲ୍‌ ରେସିଙ୍ଗ୍‌ ଚାମ୍ପିଅନ୍‌ସିପ୍‌’ରେ ଭୟାବହ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୧୩ ବର୍ଷିୟ ‘ବାଇକ୍‌ ରେସର୍‌’ କୋପ୍ପାରାମ୍ ଶ୍ରେୟସ୍‌ ହରୀଶ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ମାସରେ ସ୍ପେନ୍‌ରେ ଅନୁଷ୍ଠିତ ଦ୍ବିଚକିଆ ରେସିଙ୍ଗ୍‌ ପ୍ରତିଯୋଗିତା ‘ୱାର୍ଲଡ୍‌ ଚାମ୍ପିଅନ୍‌ସିପ୍‌’ ଫାଇନାଲ୍‌ରେ ପହଞ୍ଚିବାରେ ସେ ଥିଲେ ପ୍ରଥମ ଭାରତୀୟ।

ଶନିବାର ଦିନ ଅନୁଷ୍ଠିତ ‘ରେସ୍‌’ ତୃତୀୟ ରାଉଣ୍ଡ୍‌ରେ ‘ଦି ବେଙ୍ଗାଲୁରୁ କିଡ୍‌’ ଭାବେ ସୁପରିଚି ଶ୍ରେୟସ୍‌ ଗୋଟାଏ ୨୦୦ ସିସି ମୋଟୋର୍‌ବାଇକ୍‌ ଚଳାଉଥିବା ବ‌େଳେ ତାହା ରାସ୍ତାରୁ ଖସରି ପଡ଼ିଯିବାରୁ ତାଙ୍କ ମୁଣ୍ଡରୁ ହେଲ୍‌ମେଟ୍‌ ବାହାରି ଗଲା। ପଛରେ ଆସୁଥିବା ଆଉ ଜଣେ ପ୍ରତିଯୋଗୀ ନିଜ ବାଇକ୍‌ ଅଟକାଇ ନ ପାରି ଶ୍ରେୟସ୍‌ଙ୍କ ଉପରେ ଚଢ଼ିଯାଇଥିଲେ। ଫଳରେ ଶ୍ରେୟସ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

Image Courtesy of NDTV

ଶ୍ରେୟସ୍‌ଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

‌ତାଙ୍କ ମୃତ୍ୟୁ ଯୋଗୁଁ ‘ମାଡ୍ରାସ୍‌ ମୋଟୋର୍‌ ସ୍ପୋର୍ଟସ୍‌ କ୍ଲବ୍‌’ ସପ୍ତାହାନ୍ତ ପ୍ରତିଯୋଗିତାର ବାକି ‘ରେସ୍‌’ ବାତିଲ କରିଛନ୍ତି।

ଜୁଲାଇ ୨୬ ତାରିଖ ଦିନ ୧୩ଶ ଜନ୍ମଦିନ ପାଳନ କରିଥିବା ଶ୍ରେୟସ୍‌ ଥିଲେ ଜଣେ ପ୍ରତିଶ୍ରୁତିସମ୍ପନ୍ନ ‘ମୋଟୋର୍‌ବାଇକ୍‌ ରେସର୍‌’। ‘ବାଇକ୍‌’ ଉପରେ ଅପୂର୍ବ ନିୟନ୍ତ୍ରଣ ଦକ୍ଷତା ପାଇଁ ସେ ପ୍ରଶଂସିତ ହେଉଥିଲେ।

୨୦୧୦ ଜୁଲାଇରେ ଜନ୍ମିତ ଶ୍ରେୟସ୍‌ ଥିଲେ ବେଙ୍ଗାଲୁରୁସ୍ଥିତ କେନ୍‌ସ୍‌ରି ସ୍କୁଲ୍‌ର ଛାତ୍ର। ଉଦୀୟମାନ ‘ରେସର୍‌’ ଭାବେ ସେ  ‘ଟିଭିଏସ୍‌ ୱାନ୍‌-ମେକ୍‌ ଚାମ୍ପିଅନ୍‌ସିପ୍‌’ ସମେତ ଜାତୀୟ ସ୍ତରରେ ଅନେକ ‘ରେସ୍‌’ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର