ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୬ତମ ସଂସ୍କରଣର ୪୪ତମ ମ୍ୟାଚ୍ରେ ଗୁଜରାଟ୍ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ମଙ୍ଗଳବାର ଟସ୍ ଜଣି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଗୁଜରାଟ୍ର ବୋଲରଙ୍କ ଆଗରେ ଧୂରନ୍ଧର ବ୍ୟାଟର ଡେଭିଡ ୱାର୍ନରଙ୍କ ସମେତ ଆଗଧାଡ଼ିର ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ କରିଛି। ଫଳରେ ଗୁଜରାଟ୍ ଟାଇଟନ୍ସକୁ ୧୩୧ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଗୁଜରାଟର ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଛନ୍ତି। ସେ ତାଙ୍କର ଦ୍ରୁତ ବୋଲିଂ ବଳରେ ଦିଲ୍ଲୀର ବ୍ୟାଟିଂ ଦୁର୍ଗ ଭାଙ୍ଗିଛନ୍ତି।
/sambad/media/post_attachments/wp-content/uploads/2023/05/FvIlAboaMAAT4JQ.jpg)
ଦିଲ୍ଲୀ ପାଇଁ ଅମନ୍ ହାକିମ୍ ଖାନ୍ ସର୍ବାଧିକ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ୩ଟି ଚୌକା ଓ ସମାନ ପରିମାଣରେ ଛକା ମାରି ୫୧ ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ରିପାଲ ପଟେଲ। ଉଭୟ ହାକିମ୍ ଖାନ୍ ଓ ରିପାଲ ପଟେଲ ୭ମ ୱିକେଟ୍ ପାଇଁ ୫୩ ରନ୍ର ଭାଗିଦାରୀ ହୋଇପାରିଥିଲେ। ରିପାଲ ପଟେଲ ୧୩ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୩ ରନ୍ ସଂଗ୍ରହ କରିଥିଲେ। ଅଲ୍ରାଉଣ୍ଡର ଅକ୍ଷର ପଟେଲ ୩୦ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରି ୨୭ ରନ୍ ଯୋଡ଼ିଥିଲେ।
/sambad/media/post_attachments/wp-content/uploads/2023/05/FvIZtyyaIAAf2mZ.jpg)
ଦିଲ୍ଲୀର ପାଳି ଆରମ୍ଭ କରିଥିଲେ ଫିଲିପ୍ ସଲ୍ଟ ଓ ଅଧିନାୟକ ଡେଭିଡ ୱାର୍ନର। ଉଭୟ ବ୍ୟାଟର ଶସ୍ତାରେ ଆଉଟ୍ ହୋଇଥିଲେ। ଫିଲିପ୍ ଖାତା ଖୋଲିପାରି ନଥିଲା ବେଳେ ୱାର୍ନର ମାତ୍ର ୨ ରନ୍ ସଂଗ୍ରହ କରି ପାଭଲିଅନ୍କୁ ଫେରି ଯାଇଥିଲେ। ଯୁବ ବ୍ୟାଟ୍ର ପ୍ରିୟମ୍ ଗର୍ଗ ୧୦ ରନ୍, ରିଲି ରୋସୁ ୮ ରନ୍ ଓ ମନୀଷ ପାଣ୍ଡେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ଟିମ୍କୁ ପାଳି ଆରମ୍ଭରୁ ଝଟକା ଲାଗିଥିବା ବେଳେ ସ୍କୋର ୨୩ ରନ୍ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳି ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ।
ଗୁଜରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ। ସେ ମୋଟ୍ ୪ ଓଭର ବୋଲିଂ କରିଥିଲେ। ମାତ୍ର ୧୧ ରନ୍ ଖର୍ଚ୍ଚ କରି ଦିଲ୍ଲୀର ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ମୋହିତ ଶର୍ମାଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ ରସିଦ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ।