ଆଇସିସି ଟି-୨୦ ବିଶ୍ବକପ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଲା ଭାରତ, ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ, ଲୁଙ୍ଗି ଏନ୍‌ଗିଡିଙ୍କୁ ୪ ୱିକେଟ୍‌

ପର୍ଥ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌-୨୦୨୨ରେ ରବିବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୩୩ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନ୍‌ଗିଡି ନାୟକ ସାଜିଥିଲେ। ଏନ୍‌ଗିଡିଙ୍କ ବୋଲିଂ ଯୋଗୁଁ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ତାଙ୍କୁ ୪ଟି ୱିକେଟ୍‌ ମିଳିଥିଲା। ସେ ୪ ଓଭର ବୋଲିଂ କରି ୨୯ ରନ୍‌ ଖର୍ଚ୍ଚ କରିଥିଲେ।

ଟସ୍‌ ଜଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ‌କେଏଲ୍‌ ରାହୁଲ ପାଳି ଆରମ୍ଭ କରିଥିଲେ। ଭାରତର ସ୍କୋର ୨୩ ରନ୍‌ରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ କେଏଲ୍‌ ରାହୁଲ। ସେ ୧୪ଟି ବଲ୍‌ ସାମ୍ନା କରି ଗୋଟିଏ ଛକା ବଳରେ ୯ ରନ୍‌ ସଂଗ୍ରହ କରିଥିଲେ। ଭାରତର ଦ୍ବିତୀୟ ୱିକେଟ୍‌ ଭାବେ  ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ସେ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୫ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ଚଳିତ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୨ଟି ଚୌକା ବଳରେ ୧୨ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ କୋହଲି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ଛିଡ଼ା ହୋଇପାରି ନଥିଲେ। ସେ ଦକ୍ଷିଣ ଆଫ୍ରିକାର ୩ୟ ଶିକାର ହୋଇଥିଲେ। ୪ ର୍ଥ ୱିକେଟ୍‌ ଭାବେ ଦୀପକ ହୁଡ଼ା (ଶୂନ୍ୟ ରନ୍‌) ଓ ୫ମ ୱିକେଟ ଭାବେ ଅଲରାହଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (୨) ଆଉଟ୍‌ ହୋଇଥିଲେ। ଭାରତ ୪୯ ରନ୍‌ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।

ଭାରତ ସ୍କୋରରେ ମଧ୍ୟକ୍ରମର ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଭୂମିକା ଥିଲା। ଦକ୍ଷିଣ ଆଫ୍ରିକାର ପ୍ରଭାବୀ ବୋଲିଂ କାରଣରୁ ଭାରତୀୟ ଖେଳାଳିମାନେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁ ନ ଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଦମ୍ଭର ସହିତ ଖେଳିଥିଲେ। ସେ ୪୦ଟି ବଲ୍‌ ଖେଲି ୬ଟି ଚୌକା ଓ ୩ଟି ଚୌକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନ୍‌ଗିଡିଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଥିଲା। ୱେନ ପାର୍ଣ୍ଣେଲ୍‌ ୩ଟି ୱିକେଟ୍‌ ନେଇଥିଲା ବେଳେ ନର୍ଖିୟା ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର