ଗୁଆହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ଭାରତୀୟ ବ୍ୟାଟର ଗର୍ଜିଛନ୍ତି। ଗୁଆହାଟୀସ୍ଥିତ ବାରସପରା କ୍ରିକେଟ ଷ୍ଟାଡିୟମ୍ରେ ପ୍ରାରମ୍ଭିକ ବ୍ୟାଟର କେଏଲ୍ ରାହୁଲ ଓ ମଧ୍ୟକ୍ରମର ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍କୁ ୨୩୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। କେଏଲ୍ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୬ ରନ୍ର ଭାଗିଦାରୀ ହେବା ସହିତ ଦଳକୁ ମଜବୁତ ସ୍ଥିତିରେ ପହଂଚାଇ ଦେଇଥିଲେ। କେଏଲ୍ ରାହୁଲ ୨୮ଟି ବଲ୍ ସାମ୍ନା କରି ୫ଟି ଚୌକା ଓ ୪ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୫୭ ରନ୍ ସଂଗ୍ରହ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ରନ୍ ଥିଲା ୪୩ ରନ୍। ସେ ୩୭ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଓ ସ୍କୋର ୧୦୭ ରନ୍ରେ କେଏଲ୍ ରାହୁଲଙ୍କୁ ହରାଇଥିଲା।
ତେବେ ୩ୟ ୱିକେଟ୍ ପାଇଁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୧୦୨ ରନ୍ର ଭାଗିଦାରୀ ହୋଇପାରିଥିଲେ। ସୂର୍ଯ୍ୟକୁମାର ଯାଦବ (୬୧ ରନ୍) ୨୨ଟି ବଲ୍ ଖେଳି ୫ଟି ଚୌକା ଓ ସମାନ ପରିମାଣର ଛକା ମାରିଥିଲେ। ବିରାଟ କୋହଲି ୨୮ଟି ବଲ୍ ଖେଳି ୪୯ ରନ୍ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରି ଅପରାଜିତ ପାଭଲିଅନକୁ ଫେରିଥିଲେ। ଦିନଶେ କାର୍ତ୍ତିକ ୭ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୧୭ ଅପରାଜିତ ୧୭ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜଙ୍କୁ ୨ଟି ୱିକେଟ ମିଳିଥିଲା।