ହ‌ଙ୍ଗେରିରେ ଫସିଛନ୍ତି ୧୪ ବର୍ଷୀୟ ଭାରତୀୟ ଆଇଏମ୍‌

ବୁଦାପେଷ୍ଟ: ଲକ୍‌ଡାଉନ୍‌ ପାଇଁ ୧୪ ବର୍ଷୀୟ ଭାରତୀୟ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଲିଓନ୍‌ ମେଣ୍ଡୋଙ୍କା ହଙ୍ଗେରିରେ ଫସି ରହିଛନ୍ତି। ୨୪୫୨ ଏଲୋ ରେଟିଂ ସହ ଏହି ଭାରତୀୟ ‌ଉଦୀୟମାନ ଚେସ୍‌ ତାରକା ମାର୍ଚ ୧୭ ତାରିଖରେ ଶେଷ ହେବାକୁ ଥିବା ଏକ ପ୍ରତିଯୋଗିତାରେ ଭାଗନେବା ଲାଗି ବୁଦାପେଷ୍ଟ ଯାଇଥିଲେ। ପ୍ରତିଯୋଗିତା ଶେଷ ହେବାର ପରଦିନ ଅଥାର୍ଥ ମାର୍ଚ ୧୮ରେ ଭାରତ ଫେରିଥାନ୍ତେ। ହେଲେ ଭାରତରେ ସେତେବେଳେ ୟୁରୋପରୁ ବିମାନ ଉଡ଼ାଣକୁ ବାରଣ କରାଯାଇଥିଲା। ଫଳରେ ସେ ବୁଦାପେଷ୍ଟ୍‌ର ଏକ ଆପାର୍ଟମେଣ୍ଟ୍‌ରେ ତାଙ୍କ ପିତାଙ୍କ ସହ ଅଟକି ରହିବାରୁ ନିଜ ଘରଠୁ ପ୍ରାୟ ଏକମାସ ହେଲା ଦୂ‌େରଇ ରହିଛନ୍ତି।

ଆମେ ଏଠାରେ ନିରାପଦ ଓ ସୁସ୍ଥ ଅଛୁ। ଲକ୍‌ଡାଉନ୍‌ ସରିଲେ ଭାରତକୁ ଫେରିବା ଲାଗି ଅପେକ୍ଷା କରି ରହିଛୁ। ସକାଳ ୭.୩୦ରେ ମୁଁ ଉଠି ପ୍ରାର୍ଥନା କରୁଛି। ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ମୁଁ କିଛି ଯୋଗ ଓ ଧ୍ୟାନ ମଧ୍ୟ କରେ। ଏହା ସହ ପାଠ ପଢ଼ା ଓ ଚେସ୍‌କୁ ମଧ୍ୟ ସମୟ ଦେଉଛି। ମୋ ଇଚ୍ଛା ଅନୁସାରେ ‌େଯପରି ଦରକାର ସେପରି ଚେସ୍‌ ଅଭ୍ୟାସ କରୁଛି। ଚେସ୍‌ ଆଧିରିତ ଇଭେଗେନି ବରେଭଙ୍କ ‘ନୋ ଚେସ୍ ପ୍ରିନ୍ସିପାଲ୍’ ଏବଂ ମିଖାଇଲ ତାଲ୍‌ଙ୍କ ‘ଲାଇଫ୍‌ ଆଣ୍ଡ୍‌ ଗେମ୍ସ’ ପୁସ୍ତକ ଅଧ୍ୟୟନ କରୁଛି ବୋଲି ଲିଓନ୍‌ କହିଛନ୍ତି। ମୁଁ ଏଠାରେ ମା ଏବଂ ଭଉଣୀଙ୍କୁ ମନେ ପକଉଛି। ହେଲେ ପରିସ୍ଥିିତିକୁ ବୁଝି ଚୁପ ହେଇଯାଉଛି। କାରଣ କାରୋନାରୁ ମୁକୁଳିବାର ଏକ ମାତ୍ର ବାଟ ହେଉଛି ଘରେ ରହିବା ଏବଂ ସୁରକ୍ଷିତ ରହିବା। ଆମେ ଘରେ ରହିଥାଉ ଏବଂ ଅଧିକ ବାହାରକୁ ଯାଉନୁ। ବାପା ଏକାଥରକେ ୧୦ ଦିନ ପାଇଁ ପରିବା ସଉଦା ପାଖ ଦୋକାନରୁ ଆଣୁଛନ୍ତି ଏବଂ ରୋଷେଇ ମଧ୍ୟ ନିଜେ କରୁଛନ୍ତି ବୋଲି ଲିଓନ୍‌ କହିଛନ୍ତି।
ଏଭଳି ସମୟରେ ହଙ୍ଗେରୀରେ ରହିବା କଷ୍ଟକର ହେଉଛି। କିନ୍ତୁ ମହାମାରୀ କରୋନା ସମୟରେ ସକାରାତ୍ମକ ରହିବା ଏବଂ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କରିବା ମଧ୍ୟ ଜରୁରୀ ଅଟେ। ଲିଓନ୍ ମସ୍କୋରେ ଥିବା ଏରୋଫ୍ଲଟ୍ ଓପନ୍‌ରେ ଖେଳିଥିଲେ। ଏଠାରେ ମଧ୍ୟ ଅନ୍ୟ ଭାରତୀୟ ଖେଳାଳି ଭାଗନେଇଥିଲେ। କରୋନା ପାଇଁ ଭିଏତନାମରେ ଏକ ପ୍ରତିଯୋଗିତା ସ୍ଥଗିତ ହେବା ପରେ ଆମେ ବୁଦାପେଷ୍ଟ ଯାତ୍ରା କରିଥିଲୁ ବୋଲି ଲିଓନଙ୍କ ବାପା ଲିଣ୍ଡନ୍ କହିଛନ୍ତି। ଏବେ ଆମ ପାଇଁ କିଛି ସାହାଯ୍ୟ ଦରକାର ନାହିଁ। ଆବଶ୍ୟକ ହେଲେ ଆମେ ସାହାଯ୍ୟ ମାଗିବୁ। ସାଙ୍ଗମାନେ ମୋ ପାଖକୁ ଟଙ୍କା ପଠାଇବା ଲାଗି ମଧ୍ୟ କହୁଛନ୍ତି। ଦରକାର ନଥିବାରୁ ମୁଁ ସେମାନଙ୍କୁ ମନା କରିଛି ବୋଲି ପେସାରେ ଇଂଜିନିୟର ଥିବା ଲିଣ୍ଡନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର