ବିଶ୍ବକପ : ଇଂଲଣ୍ଡ ଆଗରେ ୧୪୨ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ସିଡନି : ସିଡନିଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ  ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଆଗରେ ବିଜୟ ପାଇଁ ୧୪୨ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଗ୍ରୁପ-୧ରେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହାର ଫଳାଫଳ ଉପରେ କିଏ ସେମିଫାଇନାଲ ଖେଳିବ ତାହା ସ୍ଥିର ହୋଇଯିବ । ଏହି ମ୍ୟାଚ ଜିତିଲେ ଇଂଲଣ୍ଡ ସେମିରେ ପ୍ରବେଶ କରିଯିବ । କିନ୍ତୁ ହାରିଲେ ଅଷ୍ଟ୍ରେଲିଆ ପାଇଁ ସେମିଫାଇନାଲ ଯିବା ସୁଗମ ହୋଇଯିବ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୧ ରନ କରିଥିଲା । ଦଳ ପକ୍ଷରୁ ପଥୁମ ନଶଙ୍କା ୬୭ ରନ ଓ ବି.ରାଜପକ୍ଷ ୨୨ ରନ କରିଥିଲେ । ସେହିପରି କୁଶଲ ମେଣ୍ଡିସ୍ ୧୮ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲା ଶ୍ରୀଲଙ୍କା ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍କ ଉଡ୍ ୩ଟି ଓ୍ବିକେଟ ନେଇଥିବବେଳେ ବେନ ଷ୍ଟୋକ୍ସ,ସାମ କୁରାନ, କ୍ରିସ ଓକ୍ସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗ୍ରୁପ-୧ରେ ଏବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୭ ପଏଣ୍ଟ ଲେଖାଏଁ ପାଇଛନ୍ତି । ଇଂଲଣ୍ଡ ୫ ପଏଣ୍ଟ ପାଇଛି ଓ ଆଜିର ମ୍ୟାଚ ଜିତିଲେ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୭ରେ ପହଞ୍ଚିବ । ତେବେ ରନରେଟ ଅନୁସାରେ ଇଂଲଣ୍ଡ ଆଗୁଆ ଥିବାରୁ ଇଂଲଣ୍ଡ ସେମି ଖେଳିବା ସମ୍ଭାବନା ଅଧିକ । କିନ୍ତୁ ଆଜିର ମ୍ୟାଚରେ ଇଂଲଣ୍ଡ ହାରିଗଲେ ସ୍ବାଭାବିକ ଭାବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମିକୁ ଯିବେ ।

ସମ୍ବନ୍ଧିତ ଖବର