କ୍ରୀଡ଼ା ପାଇଁ ୧୪୨୫.୫ କୋଟି 

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗୁରୁବାର ଉପସ୍ଥାପନା କରିଥିବା କେନ୍ଦ୍ରୀୟ ବଜେଟରେ କ୍ରୀଡ଼ାକ୍ଷେତ୍ରକୁ ୧୪୨୫.୫ କୋଟି ଟଙ୍କା ମିଳିଛି। ଯାହା ଗତବର୍ଷଠାରୁ ୨୫୮.୨ କୋଟି ଟଙ୍କା ଅଧିକ। ନରେନ୍ଦ୍ର ମୋଦି ସରକାରଙ୍କ ଏହି ଶେଷ ପୂର୍ଣ୍ଣକାଳୀନ ବଜେଟରେ ନୂଆକରି ଆରମ୍ଭ ହୋଇଥିବା ‘ଖୋଲୋ ଇଣ୍ଡିଆ’ ଯୋଜନା ଏବଂ ତତସଂପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସର୍ବାଧିକ ୫୭୫ କୋଟି ଟଙ୍କା ମିଳିଛି। ସେଥିମଧ୍ୟରୁ କେବଳ ଖୋଲୋ ଇଣ୍ଡିଆକୁ ୫୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତବର୍ଷ ଏହି ଯୋଜନାକୁ ୩୫୦ କୋଟି ଟଙ୍କା ମିଳିଥିଲା। ତୃରମୂଳ ସ୍ତରରୁ ଖେଳାଳି ସୃଷ୍ଟି ଲକ୍ଷ୍ୟ ନେଇ ଚଳିତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନା ଅନ୍ତର୍ଗତ ୧୦୦୦ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ଯୋଜନା ମଧ୍ୟ ଭାରତରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ଚଳିତ ବର୍ଷ ମୋଟ ୨୧୯୬.୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଗତବର୍ଷ ଏହି ରାଶି ୧୯୩୮.୬ କୋଟି ଟଙ୍କା ଥିଲା। ସେଥିମଧ୍ୟରୁ କେବଳ କ୍ରୀଡ଼ା ବିଭାଗକୁ ପାଖା ପାଖି ୧୫୦୦ କୋଟି ମିଳିଛି।

ଖେଲୋ ଇଣ୍ଡିଆକୁ ୫୨୦ କୋଟି
ସାଇକୁ ମିଳୁଥିବା ଅନୁଦାନ କମିଲା
ଦିବ୍ୟାଙ୍ଗ ଖେଳାଳିଙ୍କ ପାଇଁ କିଛି ନାହିଁ

ଅନ୍ୟପକ୍ଷରେ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ବା ସାଇକୁ ମିଳୁଥିବା ଅନୁଦାନରେ କାଣ୍ଟଛାଣ୍ଟ କରାଯାଇଛି। ଗତବର୍ଷଠାରୁ ଚଳିତ ବର୍ଷ ସାଇକୁ ପାଖା ପାଖି ୬୩ କୋଟି ଟଙ୍କା କମ୍‌ ମିଳିଛି। ସାଇକୁ ଗତବର୍ଷ ୪୯୫.୭୩ କୋଟି ଟଙ୍କା ଦିଆ ଯାଇଥିଲା। ଚଳିତ ବର୍ଷ ଏହା ୪୨୯.୫୬ କୋଟି ଟଙ୍କାକୁ କମି ଆସିଛି। ତେବେ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘଙ୍କୁ ମିଳୁଥିବା ଅନୁଦାନ ରାଶି ୩୦୨.୧୮ କୋଟିରୁ ବଢ଼ି ୩୨୦ କୋଟି ଟଙ୍କା ହୋଇଛି। ଖେଳାଳିଙ୍କୁ ଦିଆ ଯାଉଥିବା ପ୍ରୋତ୍ସାହନ ରାଶିକୁ ଆଶିଂକ ମାତ୍ରାରେ ବଢ଼ା ଯାଇଛି। ଗତ ଆର୍ଥିକ ବର୍ଷରେ ଏହା ୧୮.୧୩ କୋଟି ଟଙ୍କା ଥିଲା ବେଳେ ଚଳିତ ବର୍ଷ ଏହାକୁ ୨୩ କୋଟି ଟଙ୍କା କରି ଦିଆ ଯାଇଛି। ସେଥିମଧ୍ୟରେ ଜାତୀୟ, ରାଜ୍ୟ, ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ମିଳୁଥିବା କ୍ରୀଡ଼ାବୃତ୍ତି, ଅଲିମ୍ପିକ୍ସ, ପରାଲିମ୍ପିକ୍ସ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱକପ୍‌, ବିଶ୍ୱ ପ୍ରତିଯୋଗିତା, ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାଙ୍କୁ ମିଳୁଥିବା ପୁରସ୍କାର ରାଶି ରହିଛି। ଖେଳାଳି ବିକାଶ, ସେମାନଙ୍କୁ ଦିଆ ଯାଉଥିବା ପୁରସ୍କାର ଏବଂ ପ୍ରୋତ୍ସାହନ ରାଶିରେ ମିଳିତ ଭାବେ ୩୯.୬୯ କୋଟି ଟଙ୍କାର ବୃଦ୍ଧି ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ରାଶି ୩୩୦.୧୯ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଏହାକୁ ୩୭୪ କୋଟି ଟଙ୍କା କରି ଦିଆ ଯାଇଛି। ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠି ପୂର୍ବଭଳି ୨ କୋଟି ଟଙ୍କାରେ ଅପରିବର୍ତିତ ରହିଛି। ସେହିଭଳି ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ ବା ଓ୍ଵାଡାକୁ ମିଳୁଥିବା ଅନୁଦାନ ମଧ୍ୟ ୧ କୋଟିରୁ କମ୍‌ ବି ବେଶୀ ହୋଇ ନାହିଁ। ଆତଙ୍କବାଦ ଜର୍ଜରିତ ଜମ୍ମୁ କଶ୍ମୀରରେ କ୍ରୀଡ଼ା ବିକାଶ ଲାଗି ମିଳୁଥିବା ଅନୁଦାନକୁ ପାଖା ପାଖି ୨୫ କୋଟି ଟଙ୍କା କମାଇ ଦିଆ ଯାଇଛି। ପୂର୍ବବର୍ଷ ଜମ୍ମୁ ଓ କଶ୍ମୀରକୁ ଏହି ବାବଦରେ ୭୫ କୋଟି ଟଙ୍କା ମିଳିଥିଲା। ଏବର୍ଷ ମାତ୍ର ୫୦ କୋଟି ମିଳିବ। ହେଲେ ଦୁର୍ଭାଗ୍ୟଜନକ ଭାବେ ଦିବ୍ୟାଙ୍ଗ ଖେଳାଳିଙ୍କ ବିକାଶ ଲାଗି ଟଙ୍କାଟିଏର ବ୍ୟୟ ବରାଦ କରାଯାଇ ନାହିଁ। ଗତବର୍ଷ ମଧ୍ୟ ସେମାନଙ୍କୁ କିଛି ମିଳି ନଥିଲା।

ସମ୍ବନ୍ଧିତ ଖବର