ଟି-୨୦ ବିଶ୍ବକପ୍  : ଦକ୍ଷିଣ ଆଫ୍ରିକା ଆଗରେ ୧୪୩ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ସାରଜା : ୟୁଏଇର ସାରଜାଠାରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୩ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କାର ଓପନର ପାଥୁମ ମିଶଙ୍କା ସର୍ବାଧିକ ୭୧ ରନ କରିଥିଲେ । ସେହିପରି ଚରିଥ ଅସଲଙ୍କା ୨୧ରନ କରିଥିଲେ । କିନ୍ତୁ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନଗତି ଧୀମେଇ ଯାଇଥିଲା । ଫଳରେ ଦଳ ୨୦ ଓଭରରେ ୧୪୨ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ ସାମସି ଓ ଡାଓ୍ବେନ ପ୍ରିଟୋରିଅସ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ହାସଲ କରିଛି । ଫଳରେ ଦଳ ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଓ ଅନ୍ୟଟିରେ ପରାଜୟ ବରଣ କରିଛି । ଶ୍ରୀଲଙ୍କା ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଆଜି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

 

ସମ୍ବନ୍ଧିତ ଖବର