ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୧ତମ ମ୍ୟାଚରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଆୟୋଜକ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଛି। ଫଳରେ କୋଲକାତାକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଛି।

Advertisment

ଚେନ୍ନାଇ ପାଇଁ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ଭଲ ଆରମ୍ଭ କରିଥିଲେ। କିନ୍ତୁ ଦଳର ସ୍କୋର ୩୧ ରନ ଥିବା ବେଳେ ଋତୁରାଜ ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିଥିଲେ ଆଜିଙ୍କ୍ୟ ରାହାଣେ। ସେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ୬୧ ରନରେ ୨ୟ (ଆଜିଙ୍କ୍ୟ ରାହାଣେ), ୬୬ ରନରେ ୩ୟ (କନୱେ), ୬୮ ରନରେ ୪ର୍ଥ (ଅମ୍ବାତି ରାୟଡୁ) ଓ ୭୨ ରନରେ ୫ମ (ମୋଇନ ଅଲି) ୱିକେଟର ପତ୍ତନ ହେଲା ପରେ ଚେନ୍ନାଇର ବ୍ୟାଟିଂ ମନ୍ଥର ହୋଇଯାଇଥିଲା।

ଚେନ୍ନାଇ ପାଇଁ ଶିଭବ ଦୁବେ ସର୍ବାଧିକ ସ୍କୋର ୪୮ ରନ୍‌ କରିଥିଲେ। ସେ ଅପରାଜିତ ରହି ୩୪ଟି ବଲ ଖେଳିଥିଲେ। ଏଥିରୁ ଗୋଟିଏ ଚୌକା ଓ ଛକା ମାରିଥିଲେ। ରବୀନ୍ଦ୍ର ଜାଦେଜା ୨୪ଟି ବଲ୍‌ ଖେଳି ୨୦ ରନ କରିଥିଲେ। ଅଧିନାୟକ ‌ମହେନ୍ଦ୍ର ସିଂହ ଧୋନି ୩ଟି ବଲ୍‌ ଖେଳି ଅପରାଜିତ ୨ ରନ କରିଥିଲେ। କୋଲକାତା ପାଇଁ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ବୈଭବ ଅରୋରା ଓ ସୂର୍ଯ୍ୟାଂଶ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।