ମୁମ୍ବାଇ ଆଗରେ ୧୪୯ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୨ତମ ମ୍ୟାଚରେ କୋଲକାତା ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଆଜି କୋଲକାତାର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଓପନର ରାହୁଲ ତ୍ରିପାଠୀ ମାତ୍ର ୭ରନ କରିଥିବାବେଳେ ଶୁଭମାନ ଗିଲ ୨୧ ରନ, ନିତିଶ ରାଣା ୫ରନ, ଦିନେଶ କାର୍ତ୍ତିକ ୪ ରନ କରି ଆଉଟ ହୋଇଥିଲେ । ତେବେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇଅନ ମୋର୍ଗାନ ଓ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଟ୍ କମିନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମୋର୍ଗାନ ୩୯ ରନ ଓ କମିନ୍ସ ୫୩ ରନ କରି ଅପରାଜିତ ଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୮ ରନ କରିଛି ।

ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨ଟି, ଟ୍ରେଣ୍ଟ ବୋଲଟ, ଜସପ୍ରିତ ବୁମରା ଓ ନାଥନ କୋଲଟିଅର-ନାଇଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଖେଳୁଛି । ଗତ କାଲି ଦିନେଶ କାର୍ତ୍ତିକ ନିଜର ବ୍ୟାଟିଂ ଉପରେ ଅଧିକ ମନୋନିବେଶ କରିବାକୁ ଅଧିନାୟକ ପଦ ଛାଡ଼ିବା ପରେ ମୋର୍ଗାନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର