ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ରବିବାର ୧୫ ଦିନ ପୂରିଯାଇଛି। ଏହି ଅବସରରେ ଆହୂତ ମହାପଞ୍ଚାୟତ କେନ୍ଦ୍ର ସରକାରଙ୍କୁ ୧୦ ଦିନିଆ ମହଲତ ଦେଇଛି। ମେ’ ୨୧ ତାରିଖ ଭିତରେ ଯଦି ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରାନଯିବ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଆନ୍ଦୋଳନର ଦାୟିତ୍ବ ନେଇଥିବା ଏକ ୩୧ ଜଣିଆ କମିଟି ସ୍ପଷ୍ଟ କରିଛି। ଆମେ ଅନ୍ୟାୟ ବିରୋଧରେ ଲଢ଼େଇ ଜାରି ରଖିଛୁ, ଏହାକୁ‌ କେହି ବି ଅପହରଣ କରିପାରିବେ ନାହିଁ। ୨୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଏବଂ ବଡ଼ ଆକାରରେ କରାଯିବ। ରବିବାରର ମହାପଞ୍ଚାୟତରେ ବିଶେଷ କରି ହରିୟାଣାର ଗାଁ ଗହଳିରୁ ଲୋକ ସାମିଲ ହୋଇଥିଲେ। ଖାପ ପଞ୍ଚାୟତ, କିଶାନ, ମଜଦୁର ସଂଘ, ଛାତ୍ର ସଂଘ ସମର୍ଥନ କରିବାକୁ ମଧ୍ୟ ଆଗେଇ ଆସିଥିଲେ। ଭାରତୀୟ କିଶାନ ୟୁନିୟନ୍‌ର ମୁଖପାତ୍ର ରାକେଶ ଟିକାୟାତ, ଖାପ୍‌ ମହମ-୨୪ର ମୁଖ୍ୟ ମେହେର ସିଂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚାର ପ୍ରତିନିଧି ବଳଦେବ ସିଂହ ସିର୍ସା ପ୍ରମୁଖ ଯୋଗଦେଇ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଆନ୍ଦୋଳନରେ ସାମିଲ ଥିବା ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୂନିଆ ମହାପଞ୍ଚାୟତ ପୂର୍ବରୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ, ‘ରବିବାର ସଂଧ୍ୟା ୭ଟାରେ ସଭିଏଁ ମହମ ଜାଳି ଏହି ଆନ୍ଦୋଳନକୁ ସମର୍ଥନ କରନ୍ତୁ’’। କିନ୍ତୁ ଏହା ବିଶେଷ ପ୍ରଭାବ ପକାଇପାରିନଥିଲା।

Advertisment

କୁସ୍ତି ପାଇଁ ୫ ବର୍ଷରେ ୧୫୦ କୋଟି ଖର୍ଚ୍ଚ
ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ରବିବାର ସରକାର ପରୋକ୍ଷରେ ମୁହଁ ଖୋଲିଛନ୍ତି। କୁସ୍ତିଯୋଦ୍ଧାମାନଙ୍କ ଉତ୍‌ଥାନ ପଥରେ କିଭଳି କେନ୍ଦ୍ର ସରକାରଙ୍କ ପ୍ରଛନ୍ନ ସମର୍ଥନ ରହିଛି ଏହି ତଥ୍ୟ ପ୍ରମାଣିତ କରିଛି। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ୫ ବର୍ଷ ଭିତରେ କେନ୍ଦ୍ର ସରକାର କୁସ୍ତି ପାଇଁ ମୋଟ ୧୫୦ କୋଟି ଖର୍ଚ୍ଚ କରିଛନ୍ତି। ଖେଳାଳିଙ୍କ ତାଲିମ ଖର୍ଚ୍ଚ ସହିତ ଭିତ୍ତିଭୂମି ପ୍ରତିଷ୍ଠା ଓ ବିଦେଶ ଗସ୍ତର ଖର୍ଚ୍ଚ ଏଥିରେ ସାମିଲ ରହିଛି। ସ୍ବତନ୍ତ୍ର ତାଲିମ ପାଇଁ ବିଦେଶ ଗସ୍ତ ଲାଗି ମୋଟ ୬୩ କୋଟି ଖର୍ଚ୍ଚ ହୋଇଛି। ଅତ୍ୟାଧୁନିକ ବୈଷୟିକ ସଂରଜାମ ଏବଂ ସ୍ବତନ୍ତ୍ର ତାଲିମ ପାଇଁ ସରକାର ୨.୫ କୋଟି ଖର୍ଚ୍ଚ କରିଥିବା ବେଳେ ପକେଟ ଖର୍ଚ୍ଚ ବାଦଦରେ ୧୫ କୋଟି ବ୍ୟୟ କରାଯାଇଛି। ଏହା ବ୍ୟତୀତ ୩୫ କୋଟି ଘରୋଇ ତାଲିମରେ, ୨୫ କୋଟି ଜାତୀୟ ପ୍ରଶିକ୍ଷଣରେ, ୭ କୋଟି ସ୍ବତନ୍ତ୍ର ସହାୟତା ଏବଂ ୨ କୋଟି ଜାତୀୟ ପ୍ରତିଯୋଗିତା ପାଇଁ ଦେଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏହି ୫ ବର୍ଷ ଭିତରେ ସରକାର ଆନ୍ଦୋଳନରେ ସାମିଲ ଥିବା ବଜରଙ୍କ ପୂନିଆଙ୍କୁ ୨.୫୮ କୋଟି ଏବଂ ଭିନେଶ ଫୋଗଟଙ୍କୁ ୨.୧୬ କୋଟି ଦେଇଛନ୍ତି।