ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ବାର୍ତାଳାପ କରିବା ସାଙ୍ଗକୁ ତାଙ୍କଠୁ କ୍ରିକେଟ୍‌ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଲାଭ କରିଛନ୍ତି ୧୫ ଜଣ ଯୁବା (୧୯ ବର୍ଷରୁ କମ୍‌) କ୍ରିକେଟର। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନିଙ୍କ ମାର୍ଗଦର୍ଶନରେ ମୁମ୍ବାଇରେ ଆୟୋଜିତ ଏକ କ୍ରିକେଟ୍‌ କ୍ଲିନିକ୍‌ରେ ଏହି ବାଳିକା କ୍ରିକେଟର୍‌ମାନେ ଅଂଶଗ୍ରହଣ କରିଥିଲେ। ‘‘କ୍ରିକେଟ୍‌ କ୍ଲିନିକ୍‌-ଏମ୍‌ଏସ୍‌ଡି’’ ଶୀର୍ଷକ ଏକ କର୍ମଶାଳା ନିକଟରେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା ବେଳେ ଏଥିରେ ୧୯ ବର୍ଷରୁ କମ୍‌ ବାଳିକା କ୍ରିକେଟ୍‌ର ଗୋଟିଏ ଗୋଷ୍ଠୀ ଧୋନିଙ୍କ ଅଭିଜ୍ଞତାକୁ ସାଉଁଟିଥିଲେ। ଏହି ଖେଳାଳିମାନେ ମାଷ୍ଟରକାର୍ଡ ଦ୍ବାରା ଆୟୋଜିତ ଏକ ସାମାଜିକ ଗଣମାଧ୍ୟମ ପ୍ରତିଯୋଗିତା ଜରିଆରେ ବଛା ଯାଇଥିଲେ।

Advertisment

ମାଷ୍ଟରକାର୍ଡ ସଂପ୍ରତି ଭାରତରେ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତିକ ମ୍ୟାଚ୍‌ (ଯୁବ ମହିଳା କ୍ରିକେଟର୍‌ଙ୍କ ପାଇଁ)ର ଟାଇଟଲ୍‌ ପ୍ର‌ାୟୋଜକ ରହିଛି। ତେଣୁ ଏହା ଦ୍ବାରା ଆୟୋଜିତ କର୍ମଶାଳାରେ ୨୦୦୭ ପୁରୁଷ ଟ୍ବେଣ୍ଟି-୨୦, ୨୦୧୧ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ବିଜେତା ଅଧିନାୟକ ଧୋନି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। କିପରି ଚାପକୁ ଏଡ଼ାଇହେବ, କ୍ରିକେଟ୍‌କୁ କ୍ୟାରିୟର କରିହେବ, ଫିଟ୍‌ନେସ୍‌ ବଜାୟ ରଖିହେବ, ଗେମ୍‌ ପ୍ଲାନ୍‌କୁ କିପରି ସଠିକ୍‌ କାର୍ଯ୍ୟକାରୀ କରାଯାଇପାରିବା ସହିତ କ୍ରିକେଟ୍‌ ସଂପର୍କିତ ଅନ୍ୟାନ୍ୟ ଶିକ୍ଷା କର୍ମଶାଳାରେ ମହିଳା କ୍ରିକେଟର୍‌ମାନେ ଧୋନିଙ୍କଠୁ ଶିଖିଥିଲେ। ଏହି ଅବସରରେ ଧୋନି ମଧ୍ୟ କେତେକ ଟିପ୍ସ ସେମାନଙ୍କୁ ଦେଇଥିଲେ। ସେଥିରେ ବ୍ୟାଟିଂ ‌ଟେକ୍‌ନିକ୍‌, ଖେଳ ବେଳେ ଶାରୀରିକ ଚଳନ ଏବଂ ୱିକେଟ୍‌କିପିଂ ମନ୍ତ୍ର ଖେଳାଳିମାନଙ୍କୁ ଧୋନି ଦେଇଥିଲେ। ବାଳିକାମାନଙ୍କ ସହ ଫଟୋ ପୋଜ୍‌ ଏବଂ ନିଜ ଦସ୍ତଖତ ସମ୍ବଳିତ ବ୍ୟାଟ୍‌ ସେମାନଙ୍କୁ ପ୍ରଦାନ କରିବା ସହିତ କର୍ମଶାଳା ଉଦ୍‌ଯାପିତ ହୋଇଥିଲା। ଏଭଳି କର୍ମଶାଳା ଯୁବା କ୍ରିକେଟର୍‌ଙ୍କୁ କ୍ରିକେଟ୍‌ ପ୍ରତି ଆକର୍ଷିତ କରିବା ସାଙ୍ଗକୁ ସେମାନଙ୍କ ଖେଳରେ ଉନ୍ନତି ଆଣିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ କରାଯାଇଛି।