୧୫୦ ଦିନିକିଆ ୱିକେଟ୍‌ରେ ଷ୍ଟାର୍କ ଦ୍ରୁତତମ

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ର ପ୍ରଥମ ୫ ୱିକେଟ୍‌ ସଫଳତା ପାଇଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଏହି ଅବସରରେ ୧୫୦ ଦିନିକିଆ ଅନ୍ତର୍ଜାତୀୟ ୱିକେଟ୍‌ ମାଇଲଖୁଣ୍ଟ୍ ମଧ୍ୟ ଛୁଇଁଛନ୍ତି। ସବୁଠାରୁ ବଡ଼ କଥା ହେଲା ସେ ଏ କ୍ଷେତ୍ରରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ପକିସ୍ତାନର ସାକଲେନ୍ ମୁସ୍ତାକ୍ ୭୮ ମ୍ୟାଚ୍‌ରୁ ୧୫୦ ୱିକେଟ୍ ପୂର୍ଣ୍ଣ କରିଥିବା ବେଳେ ଷ୍ଟାର୍କ ୭୭ ମ୍ୟାଚ୍‌ରୁ ଏହି ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତି। ଷ୍ଟାର୍କଙ୍କ ୫ ୱିକେଟ୍‌ ସଫଳତା ବଳରେ ଅଷ୍ଟ୍ରେଲିଆ ମଧ୍ୟ ଗୁରୁବାର ରାତିରେ ୱେଷ୍ଟଇଣ୍ଡିଜ୍‌କୁ ୧୫ ରନ୍‌ରେ ହରାଇବାରେ ସକ୍ଷମ ହୋଇଥିଲା। ଗୁରୁବାରର ଏହି ମ୍ୟାଚ୍‌ରେ ଷ୍ଟାର୍କ ପ୍ରଥମରୁ କ୍ରିସ୍ ଗେଲ୍ ଏବଂ ଆନ୍ଦ୍ରେ ରସେଲଙ୍କୁ ଆଉଟ୍‌ କରିବା ପରେ ଶେଷ ଭାଗରେ ୪ ବଲ୍ ଭିତରେ କାର୍ଲୋସ ବ୍ରାଥ୍‌ୱେଟ, ଅଧିନାୟକ ଜାସନ୍ ହୋଲଡରଙ୍କୁ ଆଉଟ୍ କରିଥିଲେ। ୪୮ତମ ଓଭରରେ ସେଲଡନ୍ କଟ୍ରେଲଙ୍କୁ ପଞ୍ଚମ ଶିକାର କରିଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଏହି ୫ ଥର ବିଜେତା ଦଳ ଆଫଗାନିସ୍ତାନଠୁ ଜିତିଥିଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଧରାଶାୟୀ କରିଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର