ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଭାରତ-ବାଂଲାଦେଶ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବା ପରେ ମ୍ୟାଚର ଓଭର ସଂଖ୍ୟାକୁ କମାଇ ଦିଆଯାଇଛି । ଏଣିକି ଡିଏଲ ମେଥଡ୍ ଅନୁସାରେ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ କରିବାକୁ ପଡ଼ିବ । ବାଂଲାଦେଶର ସ୍କୋର ଏବେ ୭୫ ରନ କରି ଗୋଟିଏ ଓ୍ବିକେଟ ହରାଇଛି । ଲିଟନ ଦାସ ୬୦ ରନ କରି ରନଆଉଟ ହୋଇଛନ୍ତି ।

Advertisment

ଆରମ୍ଭରୁ ବାଂଲାଦେଶ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ଥିଲା । ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।