ଓସିଏ ସଦସ୍ୟତା ପାଇଁ ୧୫୨ ଆବେଦନ, ଦାୟିତ୍ବ ନେଲେ ନିର୍ବାଚନ ଅଧିକାରୀ ମଜୁମଦାର

କଟକ: ଓସିଏରେ ସଦସ୍ୟ ହେବା ପାଇଁ ସାରା ରାଜ୍ୟରୁ ୧୫୨ କ୍ଲବ୍‌ ଆବେଦନ କରିଛନ୍ତି। ହେଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ। କାରଣ ବିସିସିଆଇ ସିଓଏଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମ୍ବିଧାନ ନୀତିନିୟମ ଅଧିନରେ ନୂଆ ସଦସ୍ୟ ନିଆଯାଇପାରିବ। ଯେଉଁଥିପାଇଁ ଏହି ନୂଆ କ୍ଲବ୍‌ଗୁଡ଼ିକ ଆବେଦନକୁ ଏବେ ବନ୍ଦ ଲଫାଫା ମଧ୍ୟରେ ରଖିଦିଆଯାଇଛି। ନିର୍ବାଚନ ଶେଷ ହେବା ପରେ ସାଧାରଣ ପରିଷଦ ବୈଠକରେ ଏହି ଆବେଦନଗୁଡ଼ିକ ଉପସ୍ଥାପନ କରାଯିବ। ସେତେବେଳେ ସେମାନେ ଯାହା ନିଷ୍ପତ୍ତି ନେବେ ତାହାକୁ ସମ୍ବିଧାନରେ ସ୍ଥାନ ଦିଆଯିବ ବୋଲି ପରିଚାଳନା ସମିତି ଧୀରେନ୍‌ ପଲେଇ କହିଛନ୍ତି। ଗତ ୧୮ ତାରିଖରେ ଓସିଏ ପରିଚାଳନା ସମିତି ବୈଠକ ଅନୁଯାୟୀ, ନୂତନ ଆବେଦନ ଉପରେ ବିଚାର କରିବାକୁ ୫ ଜଣିଆ ଯାଞ୍ଚ ସମିତି ଗଠନ କରାଯାଇଥିଲା। ରବିବାର ସୁଦ୍ଧା ଆବେଦନ ତାରିଖ ଶେଷ ହୋଇଥିଲା ବେଳେ ସୋମବାର ଯାଞ୍ଚ ସମିତି ବୈଠକ ବସିଥିଲା। ବୈଠକ ନିଷ୍ପତ୍ତିକ୍ରମେ ସେମାନେ ଉକ୍ତ ଅବେଦନଗୁଡ଼ିକୁ ବନ୍ଦ ଲଫାଫା ମଧ୍ୟରେ ଓସିଏ କାର୍ଯ୍ୟାଳୟ ଜିମା ଦେଇଛନ୍ତି। ନିର୍ବାଚନ ପରେ ନୂଆ କ୍ଲବ୍‌ଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିବା କୁହାଯାଇଛି।

କଟକ, ୨୬|୮ (ଇମିସ): ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ବିହାରର ପୂର୍ବତନ ପ୍ରଶାସକ ଏମ୍‌ଏଲ୍‌ ମଜୁମଦାର ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକଙ୍କ ଉପସ୍ଥିତିରେ ମଜୁମଦାର ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ଅବସରରେ ସେ କହିଛନ୍ତି ଯେ, ଯେପରି ଶୃଙ୍ଖଳିତ ଓ ସୁରୁଖୁରୁ ଉପାୟରେ ନିର୍ବାଚନ ସମ୍ପାଦିତ ହେବ, ତାହା ଉପରେ ଅଧିକ ଧ୍ୟାନ ଦିଆଯିବ। ସମ୍ବିଧାନର ନୀତିନିୟମ ମଧ୍ୟରେ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ ବୋଲି ସେ କହିଛନ୍ତି। ତେବେ ସଦସ୍ୟ ତାଲିକା ଦେଖିବା ପରେ ଏବ˚ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଅଧିକ କିଛି କହିପାରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତଥାପି ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ନିର୍ବାଚନ ଶେଷ ହେବା ଆଶା କ୍ଷୀଣ। ବିଭିନ୍ନ ପ୍ରକ୍ରିୟା ଶେଷ କରିବା ପରେ ଆସନ୍ତା ମାସ ଶେଷ ସୁଦ୍ଧା ନିର୍ବାଚନ ସାରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ।

ଓସିଏ ସମେତ ବିଭିନ୍ନ ରାଜ୍ୟ ସ˚ଘର ନିର୍ବାଚନ ପାଇଁ ସେପ୍ଟେମ୍ବର ୧୪ ତାରିଖ ଧାର୍ଯ୍ୟ ହୋଇଥିଲା ବେଳେ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଓଡ଼ିଶାରେ ଥିବା ପୂର୍ବତନ ନିର୍ବାଚନ ଅଧିକାରୀମାନେ ଏହି ଦାୟିତ୍ବ ପାଇଁ ଅମଙ୍ଗ ହେବାରୁ ଓସିଏ ପକ୍ଷରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ରାଜ୍ୟରେ ନିର୍ବାଚନ ଅଧିକାରୀ ଖୋଜା ଯାଇଥିଲା। ଶେଷରେ ବିହାରର ପୂର୍ବତନ ନିର୍ବାଚନ ଅଧିକାରୀ ମଜୁମଦାରଙ୍କୁ ମନାଇବାରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ସକ୍ଷମ ହୋଇଥିଲେ। ଏଠାରେ ସେ ଆଉ ଦୁଇ ଦିନ ରହିବେ। ଏହି ଦୁଇ ଦିନ ମଧ୍ୟରେ ସମସ୍ତ ଔପଚାରିକ କାର୍ଯ୍ୟ ଶେଷ ହେବା ପରେ ସେ କିଛି ଦିନ ପାଇଁ ବିହାର ଯିବେ ଓ ଏହା ପରଠୁ ପାଖାପାଖି ୩ମାସ ପର୍ଯ୍ୟନ୍ତ ସେ ଓସିଏରେ ରହିବା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ମଜୁମଦାରଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟର ବ୍ୟବସ୍ଥା କରାଯାଇଥିଲା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଓସିଏ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର