ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ୍‌

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ୨୬ତମ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍‌ ମ୍ୟାଚରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ୍‌ ଓ୍ଵାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୫୮ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

 

ହ୍ରାଇଦ୍ରାବାଦ୍‌ ଟିମ୍‌ର ଇନିଂସ ଆରମ୍ଭ କରିଥିଲେ ଡେଭିଡ୍‌ ଓ୍ଵାର୍ନର (୪୮ ରନ୍‌, ୩୮ ବଲ୍‌, ୩ ଚୌକା, ୨ ଛକା) ଓ ଜନି ବେୟାରଷ୍ଟୋ (୧୬ ରନ୍‌, ୧୯ ବଲ, ୧ ଛକା)। ଦୁଇ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରୁଥିବା ବେଳେ ଟିମ୍‌ ୨୩ ରନ୍‌ରେ ବେୟାରଷ୍ଟୋଙ୍କୁ ହରାଇଥିଲା। କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ ସଂଜୁ ସାମସନ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ ବେୟାରଷ୍ଟୋ। ଏହା ପରେ ବେୟାରଷ୍ଟୋଙ୍କ ସ୍ଥାନ ପୂରଣ କରିବାକୁ ମନୀଷ ପାଣ୍ଡେ ପଡ଼ିଆକୁ ଆସିଥିଲେ। ମନୀଷ ୨ୟ ଓ୍ଵିକେଟ୍‌ ପାଇଁ ଓ୍ଵାର୍ନରଙ୍କ ସହ ୭୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ରାଜସ୍ଥାନ ବୋଲର ଜୟଦେବ ଉନାଦକଟଙ୍କ ବଲ ରାହୁଲ ତିଓ୍ଵାତିଆଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ ଓ୍ଵାର୍ନର। ମନୀଷ ବ୍ୟକ୍ତିଗତ ଭାବେ ୪୪ଟି ବଲ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ହାଇଦ୍ରାବାଦ୍‌ ୩ୟ ଓ୍ଵିକେଟ୍‌ ଭାବେ ମନୀଷଙ୍କୁ ହରାଇଥିଲା।

କେନ୍‌ ଓ୍ଵିଲିୟମସନ୍‌ ଦଳ ପାଇଁ ଅପରାଜିତ ୨୨ ରନ୍‌ ଯୋଗଦାନ ଦେଇଥିଲେ। ସେ ୧୨ଟି ବଲ ଖେଳି ୨ଟି ଚୌକା ମଧ୍ୟ ମାରିଥିଲେ। ସେହିପିରି ପ୍ରିୟମ ଗର୍ଗ ୮ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ସହିତ ୧୫ ରନ୍‌ କରିଥିଲେ। ସେ ଜୋଫ୍ରା ଆର୍ଚ୍ଚର ଓ ଜୋସ୍‌ ବଟଲରଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର