ଗିନିଜ୍‌ ରେକର୍ଡ ନିଶାରେ ୧୬ ବର୍ଷର ବାଳକ: ୬ ହଜାର କିଲୋମିଟର ଦୌଡ଼ିବେ ହର୍ଷ ପଣ୍ଡିତ

ସୋର: ରେକର୍ଡ କରିବାର ନିଶା। ଦେଶର ଗୌରବ ବଢ଼ାଇବ‌ାର ଇଚ୍ଛା। କେବଳ ସେତିକି ନୁହେଁ, ମୋବାଇଲ୍‌ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନତା କରିବାର ଲକ୍ଷ୍ୟ ନେଇ ହଜାର ହଜାର କିଲୋମିଟର ଦୌଡ଼ୁଛନ୍ତି ୧୬ ବର୍ଷର ଜଣେ ବାଳକ। ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳର ହିମାଂଶୁ ପଣ୍ଡିତଙ୍କ ପୁଅ ହର୍ଷ ପଣ୍ଡିତ। ଦୌଡ଼ିବା ହେଉଛି ତାଙ୍କର ସଉକ। ନିଜ ସଉକକୁ ପୂରା କରିବା ଭିତରେ ସେ ସଫଳତା ମଧ୍ୟ ସାଉଁଟିବାରେ ଲାଗିଛନ୍ତି।

‌ହର୍ଷ ୨୦୨୦ ମସିହାରେ ଜବଲପୁରରୁ ନୂଆଦିଲ୍ଲୀ ଯାଏ ୯୦୦ କିମି ଦୌଡ଼ିବା ସହ ଏସିଆ ବୁକ୍‌ ଅଫ୍‌ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସାମିଲ କରିପାରିଛନ୍ତି। ହେଲେ ଏତିକିରେ ତାଙ୍କର ରେକର୍ଡ ନିଶା କମିନି। ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ଓ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ସହ ଦେଶର ଗୌରବ ବଢ଼ାଇବା ଲକ୍ଷ୍ୟ ନେଇ ଏବେ ସେ ୬,୦୦୦ କିମି ଦୌଡ଼ୁଛନ୍ତି। ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବା ସମୟରେ ମୋବାଇଲ୍‌ର କୁପ୍ରଭାବ ବାବଦରେ ଅବଗତ କରାଇବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି। ଗୁରୁବାର ବାଲେଶ୍ୱର ଜିଲ୍ଲା ସୋରଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନେ ହର୍ଷଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଚଳିତବର୍ଷ ଜାନୁଆରି ୧ ତାରିଖରେ ନୂଆଦିଲ୍ଲୀରୁ ଦୌଡ଼ ଆରମ୍ଭ କରିଥିଲେ ହର୍ଷ। ମୁମ୍ବାଇ, ଚେନ୍ନାଇ, କଲିକତା ହୋଇ ପୁଣି ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହାମଧ୍ୟରେ ତାଙ୍କ ଦୌଡ଼ ଯାତ୍ରାକୁ ୭୭ ଦିନ ବିତିସାରିଲାଣି। ଏବେ ସୁଦ୍ଧା ସେ ୪,୩୦୦ କିମି ଦୌଡ଼ି ସାରିଲେଣି। ଦୌଡ଼ ପୂରା କରିବା ପାଇଁ ତାଙ୍କୁ ଆହୁରି ମାସେ ସମୟ ଲାଗିବ ବୋଲି ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର