ନୂଆଦିଲ୍ଲୀ : ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗରେ ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଏଗୁଡ଼ିକ ମଧ୍ୟରୁ ୧୦ଟି ଭାରତୀୟ ଓ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ । ଏହା ସହିତ ଗୋଟିଏ ଫେସବୁକ ପେଜ୍ ଉପରେ କଟକଣା ଲଗାଯାଇଛି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ, ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କରେ ମିଥ୍ୟା ପ୍ରଚାର ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
କେନ୍ଦ୍ର ସରକାର ଏପ୍ରିଲ ୪ ତାରିଖରେ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ । ଏଗୁଡ଼ିକ ମଧ୍ୟରୁ ୧୮ଟି ଭାରତରୁ ପରିଚାଳିତ ହେଉଥିବାବେଳେ ୪ଟି ପାକିସ୍ତାନରୁ ପରିଚାଳିତ ହେଉଥିଲେ । ଏହାଛଡ଼ା ୩ଟି ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଗୋଟିଏ ନ୍ୟୁଜ ଓ୍ବେବସାଇଟକୁ ନିଷିଦ୍ଧ କରିଥିଲେ ।
ଭାରତର ଜାତୀୟ ସୁରକ୍ଷା, ସାର୍ବଭୌମତ୍ବ ଓ ଅଖଣ୍ଡତା ବିରୋଧରେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବାରୁ ସରକାର ଏହି ପଦକ୍ଷେପ ନେଇଥିଲେ । ଏହାଛଡ଼ା ଏସବୁ ଚ୍ୟାନେଲମାନେ ୨୦୨୧ର ଆଇଟି ଆଇନ ଅନୁସାରେ ସରକାରଙ୍କ ନିକଟରେ ନିଜସ୍ବ ତଥ୍ୟ ଦାଖଲ କରିନଥିବାରୁ ସେଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା ।
ଏ ପ୍ରସଙ୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଏସବୁ ୟୁଟ୍ୟୁବ ଚ୍ୟାନେଲମାନେ କୋଭିଡ ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ମିଥ୍ୟା ଖବର ପ୍ରସାରଣ କରିଥିଲେ ।