ଲକ୍ଷ୍ନୌ : ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୧ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ।

Advertisment

ଏହି ମ୍ୟାଚରେ ପଂଜାବ କିଙ୍ଗସ୍ ଟସ ଜିତି  ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଦୁଇ ଓପନର କେଏଲ ରାହୁଲ ଓ କାଇଲ୍ ମେୟର୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟକ୍ରମର ବିଫଳତା ଯୋଗୁଁ ଏକ ବଡ଼ ସ୍କୋର ଛିଡ଼ା କରିପାରିନଥିଲା । ରାହୁଲ ୭୪ରନ କରିଥିବାବେଳେ ମେୟର୍ସ ୨୯ରନ କରିଥିଲେ । କୃନାଲ ପାଣ୍ଡ୍ୟା ୧୮ରନ କରିଥିବାବେଳେ ମାର୍କସ ଷ୍ଟୋଇନିସ୍ ୧୫ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ ।

ପଂଜାବ ପକ୍ଷରୁ ସାମ୍ କୁରାନ ୩ଟି ଓ୍ବିକେଟ ନେଇଥିବାବେଳେ କାସିଗୋ ରବାଡା ୨ଟି ଓ୍ବିକେଟ ନେଇଥିଲେ ।

ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ୨୩ ରନରେ ହରାଇଦେଇଛି ବାଙ୍ଗାଲୋର୍ । ଏହି ମ୍ୟାଚରେ ଦିଲ୍ଲୀ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହି ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୧ରନ ହିଁ କରିପାରିଥିଲା ।