ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ରବିବାର ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍‌କୁ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଯୁବ ବ୍ୟାଟର ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି କଙ୍ଗାରୁ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Advertisment

ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଜୟସ୍ବାଲ ବ୍ୟକ୍ତିଗତ ଭାବେ ୧୫ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୧ ରନ୍‌ ସଂଗ୍ରହ କରି କଙ୍ଗାରୁ ଦଳର ପ୍ରଥମ ଶିକାର ହୋଇଥିଲେ। ଏହା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଶ୍ରେୟସ ଆୟର କ୍ରିଜ୍‌କୁ ଆସିଥିଲେ। ସେ ୩୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ୩୧, ଜିତେଶ ଶର୍ମା ୨୪ ଓ ଋତୁରାଜ ଗାଏକ୍ବାଡ ୧୦ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହଙ୍କ ବ୍ୟାଟ୍‌ ଚାଲି ନଥିଲା। ଉଭୟ ବ୍ୟାଟର ଯଥାକ୍ରମେ ୫ ଓ ୬ ରନ୍‌ କରିଥିଲେ। ରବି ବିଷ୍ଣୋଇ ଓ ଅର୍ଶଦୀପ ସିଂହ ଅପରାଜିତ ରହି ୨-୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାସନ୍ ବେହେରନଡର୍ଫ ଓ ବେନ୍ ଡ୍ବାରସୁଇସ୍‌ଙ୍କୁ ୨-୨ ୱିକେଟ ମିଳିଥିଲା। ସେହିପରି ଆରୋନ୍ ହାର୍ଡି, ନାଥନ୍ ଏଲିସ୍ ଓ ତନବୀର ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।