ପ୍ରଥମ ଟି-୨୦: ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିବା ପରେ ଘରୋଇ ଦଳକୁ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି ।

ଟିମ୍ ଇଣ୍ଡିଆ ପାଇଁ ଅଧିନାୟକ ଶିଖର ଧାୱନ ଓ ପୃଥ୍ୱୀ ସ’ ଇନିଂସ ଆରମ୍ଭ କରିଥିଲେ । ତେବେ ଓପନର ପୃଥ୍ୱୀ ଶସ୍ତାରେ ଆଉଟ୍ ହୋଇ ପାଭିଲିଅନକୁ ଫେରିଥିଲେ । ଭାରତର ଏହି ଯୁବ ବ୍ୟାଟ୍‌ସମ୍ୟାନ ଗୋଟିଏ ବଲ୍ ସମ୍ମୁଖୀନ ହୋଇ ଖାତା ଖୋଲିପାରି ନଥିଲେ । ଫଳରେ ଭାରତ ବିନା ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା ।

ଭାରତର ୫୧ ରନ୍‌ରେ ଶ୍ରୀଲଙ୍କାର ୨ୟ ଶିକାର ହୋଇଥିଲେ ଯୁବ ବ୍ୟାଟ୍ସମ୍ୟାନ୍ ସଂଜୁ ସାମସନ୍ । କିନ୍ତୁ ସାମସନ୍ ପାଭଲିଅନକୁ ଫେରିଯିବା ପୂର୍ବରୁ ୨୦ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ଦଳପାଇଁ ବ୍ୟକ୍ତିଗତ ଭାବରେ ୨୭ ରନ୍ ଯୋଡ଼ିଥିଲେ । ସାମସନ୍ ଆଉଟ୍ ହେବା ପରେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ସୂର୍ଯ୍ୟକୁମାର ଯାଦବ ।
ତୃତୀୟ ୱିକେଟ ପାଇଁ ଶିଖର ଧାୱନ ଓ ସୂର୍ଯ୍ୟକୁମାର ଯାଦବ ୬୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ । ଧାୱନ୍ ଆଉଟ ହେବା ପୂର୍ବରୁ ୩୬ଟି ବଲ ସମ୍ମୁଖୀନ ହୋଇଥିଲେ । ଏହି ଇନିଂସରେ ସେ ୪ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୪୬ ରନ୍ ଯୋଡ଼ିଥିଲେ । ସୂର୍ଯ୍ୟକୁମାର ଯାଦବ ୫୦ ରନ୍ କରି ଆଉଟ୍ ହୋଇଥିଲେ । ନିଜର ଇନିଂସରେ ସେ ୩୪ଟି ବଲ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ । ଏତଦ୍ ବ୍ୟତୀତ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ୍‌, ଇଶନ କିଶନ ୨୦ ରନ୍ ଓ କୃଣାଲ ପାଣ୍ଡ୍ୟା ୨ରନ୍ ଯୋଗ ଦେଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଓ ଦୁଷ୍ମନ୍ତ ଚାମିରାଙ୍କୁ ୨-୨ ୱିକେଟ ମିଳିଥିବା ବେଳେ ଚମିକା କରୁଣାରତ୍ନେଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

ସମ୍ବନ୍ଧିତ ଖବର