ଗର୍ଗଙ୍କ ଲଢୁଆ ଅର୍ଦ୍ଧଶତକ, ଚେନ୍ନାଇ ଆଗରେ ୧୬୫ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପକକିଙ୍ଗସ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି ।

ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ପ୍ରଥମ ଓଭରରେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବା ବେଳେ ଜନି ବେୟାରଷ୍ଟୋ ଆଉଟ ହୋଇଥିଲେ । କିନ୍ତୁ ଅଧିନାୟକ ଡେଭିଡ ଓ୍ୱାର୍ନର ଓ ମନୀଷ ପାଣ୍ଡେ ସତର୍କତାର ସହ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କିନ୍ତୁ ଦଳୀୟ ସ୍କୋର ୪୭ ହୋଇଥିବାବେଳେ ପାଣ୍ଡେ ୨୯ ରନ କରି ଆଉଟ ହୋଇଥିଲେ । ଏହାର କିଛି ସମୟପରେ, ଦଳୀୟ ସ୍କୋର ୬୯ ହୋଇଥିବା ବେଳେ ଦଳ ଲଗାତାର ଓ୍ୱାର୍ନର ଓ କେନ ଓ୍ୱିଲିୟମସନଙ୍କ ଓ୍ୱିକେଟ ହରାଇଥିଲା । ମାତ୍ର ଏହି ଦୁଇଟି ଓ୍ୱିକେଟ ପଡ଼ିବା ପରେ ଆସିଥିବା ପ୍ରିୟମ୍ ଗର୍ଗ ଓ ଅଭିଷେକ ଶର୍ମା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଗର୍ଗ ମାତ୍ର ୨୩ ବଲ ଖେଳି ନିଜର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ରନ ପୂରଣ କରିଥିଲେ । ଫଳରେ ହାଇଦ୍ରାବାଦ ୨୦ ଓଭରରେ ୧୬୪ ରନ କରିପାରିଥିଲା ।

image credit : ipl

ଚଳିତ ଆଇପିଏଲରେ  ଚେନ୍ନାଇ ଦଳ ଏ ପର୍ଯ୍ୟନ୍ତ ନିଜର ସୁନାମ ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ଦଳ ସମୁଦାୟ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳ ମଧ୍ୟ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର