ଆବୁଧାବି : ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୬ ରନ କରିଥିଲା ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ସତର୍କତାର ସହ ଖେଳି ଥିଲା । କିନ୍ତୁ ପରେ ଦୁଇ ଓପନର ହାତଖୋଲା ସଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ଓପନର ଜନି ବେୟାରଷ୍ଟୋ ମାତ୍ର ୧୬ ରନ କରି ଆଉଟ ହେବା ପରେ ଦଳକୁ ଝଟକା ଲାଗିଥିଲା । କିନ୍ତୁ ଜସ ବଟଲର ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୨୪ ବଲରୁ ୨୯ ରନ କରିଥିଲେ । ଓପନିଂ ଯୋଡ଼ି ଆଉଟ ହେବା ପରେ ଆସିଥିବା ଡାଓ୍ବିଡ ମଲାନ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଅଲ୍ଲି ୩୬ ବଲରୁ ନିଜର ଅର୍ଦ୍ଧ ଶତକ କରିଥିଲେ । ସେହିପରି ମଲାନ ୪୨ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନ କରିଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି, ଅସ ସୋଡି, ଜେମ୍ସ ନିସମ ଓ ଆଡାମ ମିଲନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।