ଚେନ୍ନାଇ: ଚେପକ୍‌ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍‌ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ  ୩୦୮ ରନ୍‌ରେ ଅଗ୍ରଣୀ ହୋଇସାରିଛି। ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ଏହି ଟେଷ୍ଟ୍‌ରେ ଭାରତ ପ୍ରଥମ ପାଳିରେ ୩୭୬ ରନ୍ କରିବା ପରେ ଯଶପ୍ରୀତ୍ ବୁମ୍‌ରାଙ୍କ ନେତୃତ୍ବାଧୀନ ବୋଲିଂବାହିନୀ ବାଂଲାଦେଶ ପାଳିକୁ ମାତ୍ର ୧୪୯ ରନ୍‌ରେ ରୋକି ଦେଇଛି। ପ୍ରଥମ ପାଳିରେ ୨୨୭ ରନ୍‌ର ଅଗ୍ରଣୀ ସତ୍ତ୍ବେ ଭାରତ ଫଲୋଅନ୍ ନ ଡାକି ଦ୍ବିତୀୟ ପାଳି ଖେଳୁଛି। ଶୁକ୍ରବାର ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ରେ ୮୧ ରନ୍ ସଂଗ୍ରହ କରିଛି। ରୋହିତ ଶର୍ମା (୬, ୫) ଓ ବିରାଟ କୋହଲି (୬, ୧୭) ଉଭୟ ପାଳିରେ ବିଫଳ ହେବା ଦଳୀୟ ମ୍ୟାନେଜମେଣ୍ଟ୍‌କୁ ଚିନ୍ତାରେ ପକାଇଛି।

Advertisment

ଶୁକ୍ରବାର ସକାଳେ ଭାରତ ୩୩୯/୬ରୁ ଖେଳିବା ପରେ ରବୀନ୍ଦ୍ର ଜାଡ଼େଜା (୮୬) ଆଉ କୌଣସି ରନ୍ ଯୋଡ଼ିବା ପୂର୍ବରୁ ତସ୍କିନ୍ ଅହମ୍ମଦଙ୍କ ପେସ୍‌ରେ ପରାସ୍ତ ହୋଇଥିଲେ। ଫଳରେ ଅଶ୍ବିନଙ୍କ ସହ ସପ୍ତମ ୱିକେଟ୍‌ରେ ଦ୍ବିଶତକ ଭାଗୀଦାରିଠାରୁ ଦଳ ୧ ରନ୍ ଦୂରରେ ରହିଯାଇଥିଲା। କିଛି ସମୟ ପରେ ତସ୍କିନ୍ ଲଗାତାର ଓଭରରେ ଅଶ୍ବିନ (୧୧୩) ଓ ଆକାଶ ଦୀପ (୧୭)ଙ୍କୁ ଆଉଟ କରିଥିଲେ। ମହମ୍ମଦ ସିରାଜଙ୍କୁ ଆଉଟ୍ କରି ହାସନ୍ ମେହମ୍ମୁଦ ତାଙ୍କ ଦ୍ବିତୀୟ ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ। ଜବାବରେ ବାଂଲାଦେଶ ପାଳିକୁ ପ୍ରଥମରୁ ଅସ୍ଥିର ରଖିଥିଲେ ଭାରତୀୟ ପେସର୍‌। ୪୦ ରନ୍‌ ବେଳକୁ ବାଂଲାଦେଶ ୫ ୱିକେଟ୍ ହରାଇବା ସହ ସଂଘର୍ଷ କରିଥିଲା। ପ୍ରଥମ ଓଭରରେ ସଦମାନ ଇସ୍‌ଲାମଙ୍କୁ ବୁମରା ବୋଲ୍ଡ କରି ଅଭିଯାନ ଆରମ୍ଭ କରିଥିଲେ। ଆକାଶ ଦୀପ ମଧ୍ୟାହ୍ନ ଭୋଜନ ପୂର୍ବରୁ ଲଗାତାର ବଲ୍‌ରେ ଜାକିର ହାସନ୍‌ ଓ ମୋମିନୁଲ୍ ହକ୍‌ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ମଧ୍ୟାହ୍ନରୁ ଚା’ପାନ ଭିତରେ ଭାରତୀୟ ବୋଲର ୫ ୱିକେଟ୍ ଦଖଲ କରି ବାଂଲାଦେଶକୁ ପ୍ରତ୍ୟାବର୍ତନ ବାଟ ଛାଡ଼ି ନଥିଲେ। ରବୀନ୍ଦ୍ର ଜାଡ଼େଜା ତାଙ୍କ ସ୍ପିନ୍ ଜାଲରେ ଦୁଇ ପ୍ରମୁଖ ଖେଳାଳି ସକିବ୍ ଅଲ୍ ହାସନ୍ (୩୨) ଓ ଲିଟନ୍ ଦାସ (୨୨)ଙ୍କୁ ଆଉଟ୍ କରିବା ନିର୍ଣ୍ଣ‌ାୟକ ହୋଇଥିଲା। ଏହା ପରେ ମେହଦୀ ହାସନ୍ ମିରାଜ (୨୭*) ଗୋଟିଏ ପାର୍ଶ୍ବରେ ଲଢ଼ିଥିଲେ ମଧ୍ୟ ବୁମ୍‌ରା ଓ ସିରାଜ ଶେଷ ୩ ୱିକେଟ୍‌ ପୋଛି ନେଇଥିଲେ। ବୁମ୍‌ରା (୧୧-୧-୫୦-୪) ସଫଳତମ ବୋଲର ଥିବାବେଳେ ସିରାଜ, ଆକାଶ ଦୀପ ଓ ଜାଡ଼େଜା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

ଦ୍ବିତୀୟ ପାଳି ଆରମ୍ଭ କରିବା ପରେ ଭାରତ ମଧ୍ୟ ରୋହିତ ଶର୍ମା (୫), ଯଶସ୍ବୀ ଜୟସ୍ବାଲ (୧୦), ବିରାଟ କୋହଲି (୧୭)ଙ୍କୁ ସଅଳ ହରାଇଥିଲା। ରୋହିତଙ୍କୁ ତସ୍କିନ୍‌ ଓ କୋହଲିଙ୍କୁ ମିରାଜ ଆଉଟ୍ କରିଥିଲେ। କିନ୍ତୁ ଶୁବମନ ଗିଲ୍ (୩୩*) ଓ ଋଷଭ ପନ୍ତ (୧୨*) ଆଉ କ୍ଷତି ପହଞ୍ଚାଇନାହାନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୯୧.୨ ଓଭରରେ ୩୭୬/୧୦ (ଆର୍ ଅଶ୍ବିନ-୧୧୩, ରବୀନ୍ଦ୍ର ଜାଡ଼େଜା-୮୬, ଯଶସ୍ବୀ ଜୟସ୍ବାଲ-୫୬, ହାସନ୍ ମେହମ୍ମୁଦ-୫/୮୩, ତସ୍କିନ୍ ଅହମ୍ମଦ-୩/୫୫)। ବାଂଲାଦେଶ ପ୍ରଥମ ପାଳି: ୪୭.୧ ଓଭରରେ ୧୪୯/୧୦ (ସକିବ୍ ଅଲ୍ ହାସନ୍‌-୩୨, ମେହଦୀ ହାସନ୍ ମିରାଜ-୨୭*, ଲିଟନ୍ ଦାସ-୨୨, ଯଶପ୍ରୀତ୍ ବୁମରା-୪/୫୦, ଆକାଶ ଦୀପ-୨/୧୯, ରବୀନ୍ଦ୍ର ଜାଡ଼େଜା-୨/୧୯, ମହମ୍ମଦ ସିରାଜ-୨/୩୦)। ଭାରତ ଦ୍ବିତୀୟ ପାଳି: ୨୩ ଓଭରରେ ୮୧/୩ (ଶୁବମନ ଗିଲ୍‌-୩୩*, ବିରାଟ କୋହଲି-୧୭, ଋଷଭ ପନ୍ତ-୧୨*, ନାହିଦ ରାଣା-୧/୧୨, ମେହେଦୀ ହାସନ ମିରାଜ-୧/୧୬, ତସ୍କିନ୍ ଅହମ୍ମଦ-୧/୧୭)।

ବୁମ୍‌ରା @ ୪୦୧*
ବୁମ୍ ବୁମ୍ ବୁମ୍‌ରା ଭାବେ ପରିଚିତ ଯଶପ୍ରୀତ୍ ଶୁକ୍ରବାର ତାଙ୍କ କ୍ରିକେଟ୍‌ ଜୀବନରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଷଷ୍ଠ ଭାରତୀୟ ପେସ୍‌ ବୋଲର୍ ତଥା ଦଶମ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦୦ ୱିକେଟ୍‌ ପୂର୍ଣ୍ଣ କରିଛନ୍ତି। ଶୁକ୍ରବାର ବାଂଲାଦେଶ ପାଳିରେ ୪ ୱିକେଟ୍‌ ସଫଳତା ପାଇଥିବା ବୁମରା ହାସନ୍ ମେହମ୍ମୁଦଙ୍କୁ ତୃତୀୟ ଶିକାର ବେଳେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ରେ ପଦାର୍ପଣ କରିଥିବା ବୁମରା ଏ ପର୍ଯ୍ୟନ୍ତ ୧୯୬ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୪୦୧* ୱିକେଟ୍ ଅକ୍ତିଆର କରିସାରିଛନ୍ତି। ୩୭ ଟେଷ୍ଟ୍‌ରୁ ୬/୨୭ ଶ୍ରେଷ୍ଠ ଚିତ୍ର ସହ ୧୬୩ ୱିକେଟ୍‌ ନେଇଛନ୍ତି। ସେହିଭଳି ୮୯ ଦିନିକିଆରୁ ୬/୧୯ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ୧୪୯ ୱିକେଟ୍‌ ନେଇଛନ୍ତି। କ୍ରିକେଟ୍‌ର ସବୁଠାରୁ ସଂକ୍ଷିପ୍ତ ଫର୍ମାଟ୍‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ବୁମରା ୭୦ ମ୍ୟାଚ୍‌ରୁ ୮୯ ୱିକେଟ୍‌ ନେଇଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନିଲ କୁମ୍ବଲେ (୯୫୩), ରବିଚନ୍ଦ୍ରନ ଅଶ୍ବିନ (୭୪୪*), ହରଭଜନ୍ ସିଂହ (୭୦୭), କପିଳ ଦେବ (୬୮୭), ଜାହିର୍ ଖାନ୍ (୫୯୭), ରବୀନ୍ଦ୍ର ଜାଡ଼େଜା (୫୭୦*), ଜେ ଶ୍ରୀନାଥ (୫୫୧), ମହମ୍ମଦ ସାମି (୫୫୧*), ଈଶାନ୍ତ ଶର୍ମା (୪୩୪)ଙ୍କ ପରେ ବୁମରା (୪୦୧*) ଏହି କ୍ଲବ୍‌ରେ ଯୋଗଦେବାରେ ଦଶମ ବୋଲର୍‌ ହୋଇଛନ୍ତି।

କୋହଲିଙ୍କ ଡିଆର୍‌ଏସ୍‌ ହାତଛଡ଼ା
ବିରାଟ କୋହଲି ଉଭୟ ପାଳିରେ ବିଫଳ ହେବା ଅଧିନାୟକ ରୋହିତ ଶର୍ମାଙ୍କୁ ଚିନ୍ତାରେ ପକାଇନାହିଁ। କିନ୍ତୁ ଶୁକ୍ରବାର ଭାରତର ଦ୍ବିତୀୟ ପାଳିରେ ସେ ଡିଆର୍‌ଏସ୍‌ର ଭୁଲ ଆକଳନ କାରଣରୁ ଏହାକୁ ହାତଛଡ଼ା କରିବାରୁ ସେ ବ୍ୟସ୍ତ ହୋଇପଡ଼ିଥିଲେ। ମେହଦୀ ହାସନ୍ ମିରାଜଙ୍କ ଘଣ୍ଟାପ୍ରତି ୮୪.୯ କିଲୋମିଟର୍‌ ବେଗର ବଲ୍ ଅଫଷ୍ଟମ୍ପ୍‌ ଲାଇନ୍‌ରେ କୋହଲିଙ୍କ ଆଗ ପ୍ୟାଡ୍‌କୁ ହିଟ୍ କରିଥିଲା। ଶୁବମନ ଗିଲଙ୍କ ସହ ଆଲୋଚନା ପରେ କୋହଲି ଏହାକୁ ରିଭ୍ୟୁ ନ କରି ଅମ୍ପାୟାର୍‌ ରିଚାର୍ଡ କେଟଲବରୋଙ୍କ ଏଲ୍‌ବିଡବ୍‌ଲ୍ୟୁ ନିଷ୍ପତ୍ତିକୁ ମାନି ନେଇଥିଲେ। ପରେ କିନ୍ତୁ ଅଲଟ୍ରାଏଜ୍‌ ସ୍ପାଇକ୍‌ରୁ ଜଣାପଡ଼ିଥିଲା ବଲ୍ ଇନ୍‌ସାଇଡ୍ ଏଜ୍‌ ନେଇଥିଲା। କୋହଲି ଏ ସମ୍ପର୍କରେ ଅଜ୍ଞ ଥିବାରୁ ଡିଆର୍‌ଏସ୍‌ ବିପକ୍ଷରେ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା କିନ୍ତୁ ପ୍ୟାଭିଲିଅନ୍‌ରେ ଏହାକୁ ସହଜରେ ଗ୍ରହଣ କରିପାରି ନଥିବା ତାଙ୍କ ହାବଭାବରୁ ଜଣାପଡ଼ିଯାଇଥିଲା।

ବ୍ରାଡମ୍ୟାନ୍‌ଙ୍କ ବିରଳ କ୍ଲବ୍‌ରେ ଜୟସ୍ବାଲ
ଯୁବ ବାମହାତୀ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ପୁଣି ଏକ ବିରଳ କ୍ଲବ୍‌ରେ ନିଜ ନାମକୁ ସାମିଲ କରି ନେଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌କୁ ଆଗମନର ପ୍ରଥମ ୧୦ ଟେଷ୍ଟ୍‌ରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି। ପ୍ରଥମ ୧୦ ଟେଷ୍ଟ୍ ସୁଦ୍ଧା ଅନ୍ୟୁନ ୧୦୦୦ ରନ୍‌ କରିଥିବା ଖେଳାଳିଙ୍କ ଏହି ତାଲିକାରେ ଅଷ୍ଟ୍ରେଲୀୟ କିଂବଦନ୍ତି ସାର୍ ଡନ୍ ବ୍ରାଡମ୍ୟାନ୍ (୧,୪୪୬ ରନ୍) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ୱେଷ୍ଟଇଣ୍ଡିଜ୍ ଯୋଡ଼ି ଏଭର୍ଟନ ୱିକ୍ସ (୧,୧୨୫ ରନ୍), ଜର୍ଜ ହେଡଲି (୧,୧୦୨ ରନ୍), ଯଶସ୍ବୀ ଜୟସ୍ବାଲ (୧,୦୯୪) ଓ ଅଷ୍ଟ୍ରେଲିଆର ମାର୍କ ଟେଲର୍ (୧,୦୮୮) ରହିଛନ୍ତି। ଟେଲରଙ୍କୁ ଅତିକ୍ରମ କରିବା ପୂର୍ବରୁ ଜୟସ୍ବାଲ ଗୁରୁବାର ନିଜ ଅର୍ଦ୍ଧଶତକୀୟ ପାଳି ଅବସରରେ ସୁନୀଲ ଗାଭାସ୍କରଙ୍କୁ ଅତିକ୍ରମ କରିଥିଲେ। ଗାଭାସ୍କର ପ୍ରଥମ ୧୦ ଟେଷ୍ଟ୍‌ରେ ୯୭୮ ରନ୍ ସଂଗ୍ରହ କରି ସେ ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ଥିଲେ।

ଭାରତରେ କୋହଲିଙ୍କ ୧୨,୦୦୦ ରନ୍‌
ଚେନ୍ନାଇ: ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ଭାରତ ମାଟିରେ ସମସ୍ତ ଫର୍ମାଟରେ ମୋଟ ୧୨ ହଜାର ରନ୍‌ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚେନ୍ନାଇରେ ଚାଲିଥିବା ଟେଷ୍ଟ୍‌ର ଦ୍ବିତୀୟ ଦିନରେ କୋହଲି ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ସଚିନ୍‌ ତେନ୍ଦୁଲକରଙ୍କ ପରେ କୋହଲି ଦ୍ବିତୀୟ ଖେଳାଳି ହୋଇଛନ୍ତି। କୋହଲି ଏବେ ୨୧୯ ମ୍ୟାଚ୍‌ରୁ ୫୮.୮୪ ହାରରେ ୧୨,୦୦୪ ରନ୍‌ ସଂଗ୍ରହ କରିଛନ୍ତି। ଏହା ଭିତରେ ୩୮ ଶତକ ଓ ୫୯ ଅର୍ଦ୍ଧଶତକ ସାମିଲ ଅଛି। ସଚିନ୍‌ ଭାରତରେ ୨୫୮ ମ୍ୟାଚ୍‌ ଖେଳି ୫୦.୩୨ ହାରରେ ୧୪୧୯୨ ରନ୍‌ (୪୨ ଶତକ, ୭୦ ଅର୍ଦ୍ଧଶତକ) କରି ଶୀର୍ଷରେ ଅଛନ୍ତି। ରାହୁଲ ଦ୍ରାବିଡ଼ ୯୦୦୪ ରନ୍‌ (୧୬୭ ମ୍ୟାଚ୍‌), ରୋହିତ ଶର୍ମା ୮୬୯୦ ରନ୍‌ (୧୭୯ ମ୍ୟାଚ୍‌) ପଛକୁ ପଛ ରହିଛନ୍ତି।