ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍‌

ଭୁବନେଶ୍ବର/ନୂଆଦିଲ୍ଲୀ: ସୁପର୍ କପ୍ ଆୟୋଜନରେ ଗଣ୍ଡଗୋଳିଆ ପରିସ୍ଥିତିକୁ ନେଇ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ) ସଂଘର୍ଷ କରୁଥିବା ବେଳେ ସେପଟେ ୨୦୨୦ ମସିହାର ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଆୟୋଜନ ଅଧିକାର ହାସଲ କରି ନେଇଛି। ମିଆମିରେ ଶୁକ୍ରବାର ରାତିରେ ଅନୁଷ୍ଠିତ ଫିଫା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୧୭ ମସିହାରେ ୧୭ ବର୍ଷରୁ କମ୍ ବିଶ୍ବକପ୍‌ର ସଫଳ ଆୟୋଜନ ପରେ ଭାରତକୁ ପୁଣି ଏକ ଫିଫା ପ୍ରତିଯୋଗିତା ମିଳିବା ଏଆଇଏଫଏଫ୍ ପାଇଁ ବଡ଼ ବିଜୟ ଭଳି ହୋଇଛି। ଭାରତୀୟ ଫୁଟ୍‌ବଲ୍ ପାଇଁ ଏହା ‘ଗୌରବର ମୁହୂର୍ତ’ ବୋଲି କହିଛନ୍ତି ଏଆଇଏଫଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ୍‌। ମୁଁ ଏଥି ପାଇଁ ଫିଫା, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରକୁ କୃତଜ୍ଞତା ଜଣାଉଛି ବୋଲି ପଟେଲ୍ ପ୍ରକାଶ କରିଛନ୍ତି। ଆୟୋଜନ ଅଧିକାରଠାରୁ ଆୟୋଜନ କରିବା ବଡ଼ ଆହ୍ବାନ। ଦେଶରେ ମହିଳା ଫୁଟ୍‌ବଲ୍‌କୁ ଅଧିକ ଲୋକପ୍ରିୟ କରିବା ଏବଂ ପ୍ରେରଣା ଯୋଗାଇବାରେ ଏହି ପ୍ରତିଯୋଗିତା ବଡ଼ ଭୂମିକା ନେବ ବୋଲି ମଧ୍ୟ ପଟେଲ୍ କହିଛନ୍ତି। ଭାରତୀୟ ଫୁଟ୍‌ବଲ୍ ପାଇଁ ଏହା ଐତିହାସିକ ମୁହୂର୍ତ ବୋଲି ଅଭିହିତ କରିଛନ୍ତି ଏଆଇଏଫ୍ଏଫ୍‌ ସମ୍ପାଦକ କୌଶଲ ଦାସ। ଭାରତୀୟ ଫୁଟ୍‌ବଲ୍ ପାଇଁ ଏହା କେତେ ମୂଲ୍ୟବାନ ତାହା ବର୍ଣ୍ଣନା କରି ହେବ ନାହିଁ। ତେବେ ସଫଳ ଆୟୋଜନର ଆବଶ୍ୟକତା ରହିଛି। ଭାରତର ୪/୫ ସହରରେ ଏହା ଆୟୋଜିତ ହେବ ବୋଲି କୌଶଲ ଦାସ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ଭୁବନେଶ୍ବର ଅନ୍ୟତମ ଦାବିଦାର ରହିଛି। କାରଣ ଗତବର୍ଷ ଓଡ଼ିଶା ସରକାରଙ୍କ ପକ୍ଷରୁ ସମ୍ମତିପତ୍ର ପ୍ରଦାନ କରାଯାଇଥିଲା। ଭାରତ ମଧ୍ୟ ଏହି ୧୬ ଦଳୀୟ ପ୍ରତିଯୋଗିତା ପାଇଁ ସ୍ବତଃ ଯୋଗ୍ୟତା ଅର୍ଜନ କରିଛି। ଓଡ଼ିଶାରୁ ଏକାଧିକ ଖେଳାଳି ନିୟମିତ ଭାରତୀୟ ଦଳ‌ରେ ସ୍ଥାନ ପାଉଥିବାରୁ ଘରୋଇ ପରିବେଶରେ ବିଶ୍ବକପ୍‌ ଖେଳିବାର ସୁଯୋଗ ପାଇବା ସମ୍ଭାବନା ରହିଛି।

୨୦୦୮ ମସିହାରେ ନ୍ୟୁଜିଲାଣ୍ଡ୍‌ରୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ଆୟୋଜିତ ହୋଇ ଆସୁଥିବା ବେଳେ ଏହି ଦ୍ବିବାର୍ଷିକ ପ୍ରତିଯୋଗ‌ିତାରେ ଗତବର୍ଷ ଉରୁଗୁଏରେ ମେକ୍ସିକୋକୁ ୨-୧ ଗୋଲ୍‌ରେ ହରାଇ ସ୍ପେନ୍‌ ବିଜେତା ହୋଇଥିଲା। ଏସୀୟ ଦେଶଗୁଡ଼ିକ ବିଶ୍ବକପ୍‌ରେ ସଫଳ ରହିଛନ୍ତି। ଉତ୍ତର କୋରିଆ (୨୦୦୮, ୨୦୧୬) ଦୁଇ ଥର ବିଜେତା ହୋଇଥିବା ବେଳେ ଜାପାନ (୨୦୧୪), ଦକ୍ଷିଣ‌ କୋରିଆ (୨୦୧୦) ଥରେ ଲେଖାଏଁ ଏହି ମୁକୁଟ ପିନ୍ଧି ସାରିଛନ୍ତି। ଫ୍ରାନ୍ସ (୨୦୧୨) ଏବଂ ସ୍ପେନ୍‌ (୨୦୧୮) ଅନ୍ୟ ଦୁଇ ଅଣ ଏସୀୟ ଦେଶ ଭାବେ ସଫଳ ରହିଛନ୍ତି।

ସମ୍ବନ୍ଧିତ ଖବର