ଗୋଟିଏ‌ ‌ଫ୍ରେମ୍‌ରେ ୧୭୧ ଅନ୍ତର୍ଜାତୀୟ ଶତକ, ସଚିନଙ୍କ ଦଳ ଜିତିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜଙ୍ଗଲ ଅଗ୍ନିକାଣ୍ଡ ପୀଡ଼ିତଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଆୟୋଜିତ ଏକ ପ୍ରଦର୍ଶନୀ ମ୍ୟାଚ୍‌ ବେଳେ ଅନେକ ସ୍ମରଣୀୟ ମୁହୂର୍ତ ଦେଖିବାକୁ ମିଳିଥିଲା। ବିଶ୍ବର ବହୁ ଅନ୍ତର୍ଜାତୀୟ କ୍ରିକେଟର୍‌ ଏକାଠି ହୋଇଥିଲେ ଏବଂ ନିଜସ୍ବ ଖେଳ ଜୀବନର ସ୍ମୃତିକୁ ରୋମନ୍ଥନ କରିଥିଲେ। ମ୍ୟାଚ୍‌ ପୂର୍ବରୁ କିନ୍ତୁ ଆଇସିସି କରିଥିବା ଏକ ଟ୍ବିଟ୍‌ ଢେର ଚର୍ଚାକୁ ଆସିଥିଲା। ନେଟ୍‌ ସେସନ୍‌ରେ ଦୁଇ କିଂବଦନ୍ତି ଖେଳାଳି ସଚିନ ତେନ୍ଦୁଲକର ଏବଂ ରିକି ପଣ୍ଟିଂଙ୍କ ଆଲୋଚନା ବେଳର ଏକ ଫଟୋକୁ ରଖି ଆଇସିସି ଲେଖିଥିଲା ‘୬୧, ୮୪୦ ରନ୍‌, ୧୭୧ ଶତକ, ୪ ବିଶ୍ବକପ୍‌ ଟ୍ରଫି ଗୋଟିଏ ଫ୍ରେମ୍‌ରେ’। ଉଭୟ କିବଂଦନ୍ତି ଖେଳାଳିଙ୍କ ଅନ୍ତର୍ଜାତୀୟ ରନ୍‌, ଶତକ ଏବଂ ବିଶ୍ବକପ୍‌ ବିଜୟ ଟ୍ରଫିକୁ ମିଶାଇ ଆଇସିସି ଏଭଳି ଶୀର୍ଷକ ‌ଉଲ୍ଲେଖ କରିଥିଲା। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ୧୦୦ ଏବଂ ରିକି ପଣ୍ଟିଂ ୭୧ ଶତକ ହାସଲ କରିଥିଲେ।

ସଚିନଙ୍କୁ ବୋଲିଂ କଲେ ପେରି
ସଚିନ ତେନ୍ଦୁଲକର ତାଙ୍କ ଖେଳ ଜୀବନରେ ଅଷ୍ଟ୍ରେଲୀୟଙ୍କ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରବିବାର ଖେଳାଯାଇଥିବା କିଂବଦନ୍ତିଙ୍କ ମ୍ୟାଚ୍‌ର ମଧ୍ୟାନ୍ତରରେ ସଚିନଙ୍କୁ ଅଷ୍ଟ୍ରେଲିଆ ମହିଳା ଦଳର ତାରକା ଅଲରାଉଣ୍ଡର୍‌ ଏଲିସ୍‌ ପେରି ବୋଲିଂ କରିବା ବେଳେ କିନ୍ତୁ ପାଲଟା ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସଚିନ ପ୍ରଥମ ବଲ୍‌କୁ ଚୌକା ମାରିଥିଲେ ମଧ୍ୟ ପରବର୍ତୀ ୩ ବଲ୍‌ରୁ ରନ୍‌ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲେ। ଏହି ସମୟରେ ଅଷ୍ଟ୍ରେଲିଆର ମହିଳା ଦଳ କ୍ଷେତ୍ରରକ୍ଷଣ କରିଥିଲା। ଆଇସିସି ମଧ୍ୟ ଏହାକୁ ଟ୍ବିଟ୍‌ କରିଥିଲା। ‘ଏଲିସ୍‌ ବୋଲିଂ କଲେ, ସଚିନ ବ୍ୟାଟିଂ କଲେ। ସ୍ବପ୍ନ ବାସ୍ତବ ରୂପ ନେଲା’ ବୋଲି ଉଲ୍ଲେଖ ରହିଥିଲା। ମ୍ୟାଚ୍‌ ପୂର୍ବରୁ ମଧ୍ୟ ଡ୍ରେସିଂ ରୁମ୍‌ରେ ଲାରା, ପଣ୍ଟିଂ ଆଦିଙ୍କ ପିଠିରେ ସଚିନ ଅଟୋଗ୍ରାଫ୍‌ ଦେବାର ଅଭୂଲା ମୁହୂର୍ତ ପ୍ରଶଂସକମାନେ ଦେଖିବାକୁ ପାଇଥିଲେ।

ସଚିନଙ୍କ ଦଳ ଜିତିଲା
ରିକି ପଣ୍ଟିଂଙ୍କ ଦଳର ପ୍ରଶିକ୍ଷଣ ଦାୟିତ୍ବରେ ରହିଥିଲେ ସଚିନ ତେନ୍ଦୁଲକର। ପାଣ୍ଠି ସଂଗ୍ରହ ଲାଗି ଉଦ୍ଧିଷ୍ଟ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ପଣ୍ଟିଂଙ୍କ ଏକାଦଶ ମଧ୍ୟ ପ୍ରତିପକ୍ଷ ଗିଲକ୍ରିଷ୍ଟ ଏକାଦଶକୁ ହରାଇ ଦେଇଥିଲା। ବ୍ରାଏନ୍ ଲାରାଙ୍କ ଆକର୍ଷଣୀୟ ୩୦* ରନ୍ ମୁଖ୍ୟ ଅବଦାନ ରହିଥିଲା। ନିଜର ପାଳି ମଧ୍ୟରେ ଏହି ବାମହାତୀ ୱେଷ୍ଟଇଣ୍ଡିଆନ୍ କିଂବଦନ୍ତି କିଛି ଦର୍ଶନୀୟ କଭର୍ ଡ୍ରାଇଭ, ଷ୍ଟ୍ରେଟ୍‌ ଡ୍ରାଇଭ୍‌ ସହିତ ୨ଟି ଛକା ମାରିଥିଲେ। ଲାରାଙ୍କ ପରେ ପଣ୍ଟିଂ ୨୬ ରନ୍ କରିଥିଲେ। ନିର୍ଧାରିତ ୧୦ ଓଭରରେ ପଣ୍ଟିଂ ଏକାଦଶ ୧୦୪ କରିଥିଲା। ପଶ୍ଚାତଧାବନ ବେଳେ ପ୍ରଥମ ବଲ୍‌ରୁ ଗିଲକ୍ରିଷ୍ଟ୍‌ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ। ସେନ୍‌ ୱାଟ୍‌ସନ ୯ ବଲ୍‌ରୁ ୩୦ ରନ୍ କରିଥିଲେ, ୱାସିମ୍ ଆକ୍ରମ ବି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଗିଲକ୍ରିଷ୍ଟଙ୍କ ଏକାଦଶର ବଢ଼ିଆ ବ୍ୟାଟିଂ ସତ୍ତ୍ବେ ରିକି ପଣ୍ଟିଂଙ୍କ ଦଳ ୧ ରନ୍‌ରେ ଜିତିଯାଇଥିଲା। ସମସ୍ତଙ୍କୁ ପଣ୍ଟିଂ ଧନ୍ୟବାଦ ଦେଇଥ‌ିଲେ। ଦୀର୍ଘ ୨୫ ବର୍ଷ ଧରି ଡ୍ରେସିଂ ରୁମ୍‌ରେ ଯେଉଁମାନଙ୍କ ସହିତ ବିତାଇଥିଲି ପୁଣି ଏକାଠି ହେବା ଆନନ୍ଦିତ କରିଛି ବୋଲି ପଣ୍ଟିଂ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର