ଏସିଆ କପ୍‌ ଫାଇନାଲ: ପାକିସ୍ତାନ ଆଗରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ଭାନୁକା ରାଜପକ୍ଷଙ୍କ ସର୍ବାଧିକ ୭୧ ରନ୍‌, ହାରିସ ରୌଫଙ୍କୁ ମିଳିଲା ୩ ୱିକେଟ୍‌

ଦୁବାଇ: ଏସିଆ କପ୍‌-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନଇେଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା।ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୭୦ ରନ୍‌ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାନୁକା ରାଜପକ୍ଷ ୪୫ଟି ବଲ୍‌ ଖେଳି ୭୧ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ।

ଦାସୁନ ଶଣକାଙ୍କ ନେତୃତ୍ବରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଥିଲା। ଟିମ୍‌ର ସ୍କୋର ୨ ରନ୍‌ ଥିବା ବେଳେ ନସିମ୍ ସାହାଙ୍କ ବଲ୍‌ରେ ପ୍ରାରମ୍ଭିକ ବ୍ୟାଟର କୁସାଲ ମେଣ୍ଡିସ୍ (୦) ଆଉଟ୍‌ ହୋଇଥିଲେ। ଶ୍ରୀଲଙ୍କା ସ୍କୋର ୨୩ ରନ୍‌ରେ ୨ୟ ଓ ୩୬ ରନ୍‌ରେ ୩ୟ ୱିକେଟ ହରାଇ ଥିଲା। ସେହିପରି ଦଳର ସ୍କୋର ୫୩ ରନ୍‌ରେ ୪ର୍ଥ ୱିକେଟ ଭାବେ ଧନଞ୍ଜୟ ଡି ସିଲ୍‌ଭା ଓ ୫୮ ରନ୍‌ରେ ୫ମ ୱିକେଟ ଭାବେ ଦାସୁନ ଶଣକା ଆଉଟ୍‌ ହୋଇଥିଲେ।

ତେବେ ୬ଷ୍ଠ ୱିକଟେ ପାଇଁ ଭାନୁକା ରାଜପକ୍ଷ (ଅପରାଜିତ ୭୧ ରନ୍‌) ଓ ୱାନିନ୍ଦୁ ହସରଙ୍ଗା (୩୬ ରନ୍‌) ଧୈର୍ଯ୍ୟର ସହିତ ଖେଳି ୫୮ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଚମିକା କରୁଣାରତ୍ନେଙ୍କ ବ୍ୟାଟରୁ ଶ୍ରୀଲଙ୍କାକୁ ଅପରାଜିତ ୧୪ ରନ୍‌ ମିଳିଥିଲା। ପାକିସ୍ତାନ ପକ୍ଷରୁ ହାରିସ ରୌଫଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ସେହିପରି ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର