ବର୍ମିଂହାମ: ଦ୍ବିତୀୟ ଟି-୨୦ରେ ଭାରତ ଶନିବାର ଘରୋଇ ଇଂଲଣ୍ଡ ବିପକ୍ଷରେ ୧୭୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ବର୍ମିଂହାମରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରୋହିତ ଶର୍ମାଙ୍କ ଟିମ୍ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୭୦ ରନ୍ କରିଛି। ଏଥିରେ ରବୀନ୍ଦ୍ର ଜାଦେଜାଙ୍କ ସର୍ବାଧିକ ୪୬ ରନ୍ (ଅପରାଜିତ) ସାମିଲ ରହିଛି। ଜାଦେଜା ୨୯ଟି ବଲ୍ ଖେଳି ୫ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ।
ଭାରତ ଆଜି ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ୪.୪ ଓଭର ବେଳକୁ ସ୍କୋର ୪୯ ରନ୍ ହୋଇସାରିଥିଲା। କିନ୍ତୁ ୫ମ ଓଭରର ପଞ୍ଚମ ବଲ୍ରେ ରୋହିତ ଶର୍ମା (୩୧) ଆଉଟ୍ ହୋଇଥିଲେ। ସ୍କୋର ୬୧ ରନ୍ ବେଳକୁ ଭାରତ ୨ୟ ୱିକେଟ ଭାବେ ବିରାଟ କୋହଲି (୧ ରନ୍) ଆଉଟ୍ ହୋଇଥିଲେ। ସେହିପରି ଋଷଭ ପନ୍ତ ୨୬ ରନ୍, ସୂର୍ଯ୍ୟକୁମାର ଯାଦବ ୧୫ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୪ ଓ ରିଚାର୍ଡ ଗ୍ଲିସନ ୩ଟି ୱିକେଟ ନେଇଥିଲେ।