ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ବି ପରେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଗୁଲବଦିନ ନଇବ ଵଢୁଆ ବ୍ୟାଟିଂ କରି ସର୍ବାଧିକ ୫୭ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନଜିବୁଲ୍ଲା ଜଦରାନ ୨୩ ରନ କରିଥିବାବେଳେ କରିମ ଜନତ୍ ୨୦ ରନ କରିଥିଲେ । ସେହିପରି ମୁଜିବୁର ରେହମାନ ୨୧ ରନ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିପାରିଥିଲା। ମ୍ୟାଚର ଶେଷ ବଲରେ ଫଜଲାହକ୍ ଫାରୁକି ରନ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଗତ ୧୧ ତାରିଖରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ଏହି ତିନି ମ୍ୟାଚ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଶେଷ ମ୍ୟାଚ ୧୭ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ ।