ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା : ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ଦୁଇ ଓପନର ଆରୋନ ଫିଞ୍ଚ ଓ ଦେବଦତ୍ତ ପଡିକଲ୍ଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଉଭୟ ବଡ଼ ସ୍କୋର କରିପାରିନଥିଲେ । ଫିଞ୍ଚ ୨୦ ରନ ଓ ପଡିକଲ୍ଲ ୧୮ ରନ କରି ଆଉଟ ହୋଇଥିଲେ । ତେବେ ବିରାଟ କୋହଲି ସତର୍କତାର ସହ ଖେଳି ୩୯ ବଲରେ ୪୮ ରନ କରିଥିଲେ । ମାତ୍ର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଶିଭମ ଦୁବେ ଓ କ୍ରିସ ମୋରିସ ଯଥାକ୍ରମେ ୨୩ ଓ ୨୫ ରନର ଯୋଗଦାନ ଦେଇଥିଲେ । ଏହାଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୧ ରନ କରିଥିଲା ।

ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ବେଶ ଭଲ ପ୍ରଦର୍ଶନ କରିଚାଲିଛି । ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୫ ବିଜୟ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ମାତ୍ର ପଞ୍ଜାବ ଦଳର ପ୍ରଦର୍ଶନ ସବୁଠାରୁ ଖରାପ ରହିଆସିଛି । ଦଳ ୭ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମାତ୍ର ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ତଳେ ରହିଛି ।

ସମ୍ବନ୍ଧିତ ଖବର

Comments are closed.