ମୋହାଲି : ପଞ୍ଜାବର ମୋହାଲିଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୭ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

Advertisment

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋରର ଦୁଇ ଓପନର ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଦଳକୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୭ରନ କରିଥିଲେ । ବିରାଟ ୫୯ରନ କରିଥିବାବେଳେ ଡୁପ୍ଲେସିସ୍ ୮୪ରନ କରିଥିଲେ । କିନ୍ତୁ ଏକ ଚମତ୍କାର ଆରମ୍ଭ ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା କାରଣରୁ ଦଳର ରନଗତି ଧିମେଇ ଯାଇଥିଲା । ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିବାବେଳେ ଦିନେଶ କାର୍ତ୍ତିକ ୭ରନ ଓ ମହିପାଲ ଲାମରୋର ୭ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୪ରନ କରିଥିଲା ।

ପଞ୍ଜାବ ପକ୍ଷରୁ ହରପ୍ରିତ୍ ବ୍ରାର୍ ୨ଟି ଓ୍ବିକେଟ ନେଇଥିବାବେଳେ ନାଥନ ଏଲିସ ଓ ଅର୍ସଦୀପ ସିଂ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗୁରୁବାରଦିନ ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଉଛି । ୨ୟ ମ୍ୟାଚଟି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯିବ ।