କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୮ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଭେଟିଛି। କୋଲକାତାର ଇଡେନ ଗାର୍ଡେନରେ ଶନିବାର ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ କୋଲକାତାକୁ ଏହି ମ୍ୟାଚ୍‌ରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Advertisment

publive-image Photo: IPL Twitter

ଲକ୍ଷ୍ନୌ ପାଇଁ କର୍ନ ଶର୍ମା ଓ କ୍ବିଣ୍ଟନ୍‌ ଡି’କକ୍‌ ପାଳି ଆରମ୍ଭ କରିଥିଲେ। ହର୍ଷିତ ରାଣାଙ୍କ ବଲ୍‌କୁ ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ୍‌ ଦେଇ କର୍ନ ଶର୍ମା ଆଉଟ୍‌ ହୋଇଥିଲେ। ସେ ୫ଟି ବଲ୍‌ ଖେଳି ମାତ୍ର ୩ ରନ୍‌ କରିଥିଲେ। ଡି’କକ୍‌ ୨୮ ରନ୍‌ ଓ ପ୍ରେରକ ମନକଡ ବ୍ୟକ୍ତିଗତ ଭାବେ ୨୬ ରନ୍‌ ସଂଗ୍ରହ କରିଥିଲେ। ମଧ୍ୟକ୍ରମର ବ୍ୟାଟର ମାର୍କସ ଷ୍ଟୋଇନିସ କୌଣସି ରନ୍‌ ନକରି ପାଭଲିଅନ ଫେରିଥିବା ବେଳେ  କ୍ରୁଣାଳ ପାଣ୍ଡ୍ୟା ୯ ରନ୍‌ କରିଥିଲେ।

ଲକ୍ଷ୍ନୌକୁ ୧୪ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଟିମ୍‌ ୫୫ ରନ୍‌ରେ ଦ୍ବିତୀୟ ଓ ତୃତୀୟ ୱିକେଟ ହରାଇଥିଲା। ସେହିଭଳି ୭୧ ରନ୍‌ରେ ୪ର୍ଥ ଓ ୭୩ ରନ୍‌ରେ ପଞ୍ଚମ ୱିକେଟ୍‌ର ପତନ ହୋଇଥିଲା। ତେବେ ଏହି ସମୟରେ ଆୟୁଷ ବଦୋନି ଓ ନିକୋଲାସ ପୂରନ ଧୈର୍ଯ୍ୟର ସହିତ ଖେଳି ୬ଷ୍ଠ ୱିକେଟ୍‌ ପାଇଁ ୭୬ ରନ୍‌ ଭାଗିଦାରୀ କରିଥିଲେ। ଆୟୁଷ ୨୧ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୫ ରନ୍‌ କରିଥିଲେ। ନିକୋଲାସ ପୂରନ ୩୦ଟି ବଲ୍‌ ଖେଳି ୪ଟି ଚୌକା ଓ ୫ଟି ଛକା ବଳରେ ୫୮ ରନ୍‌ ସଂଗ୍ରହ କରିଥିଲେ। କ୍ରିଷ୍ଣାପ୍ପା ଗୌତମ ଅପରାଜିତ ୧୧ ରନ୍‌, ରବି ବିଶ୍ନୋୟୀ ୨ ରନ୍‌ ଓ ନବୀନ ଉଲ-ହକ୍‌  ଅପରାଜିତ ୨ ରନ୍‌ ଯୋଡ଼ିଥିଲେ। କୋଲକାତା ପାଇଁ ବୈଭବ ଅରୋରା, ଶାର୍ଦ୍ଦୁଲ ଠାକୁର ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକଟେ୍‌ ମିଳିଥିଲା।